Unknown

 

 

 

 

 

 

 

 

 

 

ଅପରାଧିନୀ

ଶ୍ରୀ ଗୋଦାବରୀଶ ମହାପାତ୍ର

 

(୧)

 

ମାଘ ମାସର ଭୀଷଣ ରାତି ! ଉତ୍ତରା ଜାଡ଼ ପବନ ପ୍ରବଳ ଭାବରେ ବହୁଛି; ସତେ ଅବା ସେହି ପବନରେ ବିଶ୍ୱଜଗତର ହୃତ୍‌ପିଣ୍ଡ ଥରିଉଠୁଛି ! ଉପରେ ପୃଥିବୀ-ଆକାଶକୁ ଏକାକାର କରି ଘନ କୁହେଳିକା ଚାରିଆଡ଼ ପୂର୍ଣ୍ଣ ହୋଇ ରହିଛି । ସେହି ଭିତରେ ପୁଣି କାହିଁ କେଉଁ ଅନନ୍ତ ଗଗନର ସୁଦୂର ତଟଦେଶରେ ନିଷ୍‌ପ୍ରଭ ଚନ୍ଦ୍ର ସେ ଦୂରତା ଭେଦ କରି, ସେ କୁହେଳିକା ପାରହୋଇ ପାଣ୍ଡୁର ଶ୍ରୀହୀନ ଭାବରେ ହସି ଉଠୁଛି ! ଧରଣୀର ଅବସ୍ଥା ଏପରି ଭୀଷଣତରହୋଇଛି ଯେ ନିତାନ୍ତ ଶିକାରୀ କୁକୁର ମଧ୍ୟ ଶୀତ ଜାଡ଼ ସହି ନ ପାରି ତା’ କର୍ତ୍ତବ୍ୟ ଭୁଲି ଯାଉଛି; କାତର ଭାବରେ ଆଶ୍ରୟ ଖୋଜିବୁଲୁଛି । ଅନ୍ୟ କଥା ବା କ’ଣ କୁହାଯିବ ?

 

ଏ ଅବସ୍ଥା କି ଭୟଙ୍କର, କେବଳ ଅନୁଭବୀହିଁ ବୁଝିବ । ଏହା କେବଳ ଭୂତ ପ୍ରେତ ଅଦେହୀମାନଙ୍କ ପାଇଁ । ଜଗତ୍‌ର ସକଳ ଜଡ଼ ମୂକ ଶକ୍ତି, ସକଳ ଜଡ଼ୀଭୂତସ୍ୱର ସତେ ଅବା ଏହି ସମୟରେ ଫିଟିପଡ଼ି ଅବକାଶ ପାଇଛନ୍ତି !

 

ଉଃ ! - ତରୁପତ୍ର, ଗୃହ ମନ୍ଦିର, ଘନ ଜଙ୍ଗଲ, ରୁକ୍ଷ ଗିରି ପାହାଡ଼, ଗଗନଭେଦୀଗିରିଶୃଙ୍ଗ, ମୁଖରା ତଟିନୀ - ସେ ପାଖରେ ଖଣ୍ଡାହଣାଠାରୁ ଏ ପାଖର ଜଟିଆନାସି ପର୍ଯ୍ୟନ୍ତ ସବୁଆଡୁ ସାଇଁସାଇଁ, ସନ୍‌ସନ୍ ଶବ୍ଦ ବାହାରିବା ଦ୍ୱାରା କି ବିଷାଦମୟ, କି ଯାତନାମୟ ଅଭିନୟ ଆରମ୍ଭ ହୋଇଛି ! ଜଗତ୍‌ର ଏ, ରଙ୍ଗମଞ୍ଚରେ କି ଲୀଳା ଚାଲିଛି ! ଗଗନ ଅଶ୍ରୁ-ଶିଶିର ଢାଳୁଛି; ଆଉ ଧରଣୀ ଶୀତେଇଉଠୁଛି ! ବାଃ –

 

ଏପରି ଅସମୟରେ ବାହାରକୁ ବାହାରେ କିଏ ? ଦୈବାତ୍ କିଏ ଯେବେ ଏକାକୀ ବାଟୋଇ ଏତେବେଳେ ରାଜରାସ୍ତାରେ ପାଦ ଚାଳିବ, ଭୟରେ ଏବଂ ଜାଡ଼ରେ ତା’ ତୁଣ୍ଡରୁ କଥା ବାହରିବ ନାହିଁ; କେବଳ ତାକୁ ଲୁଗାପଟା ଜାକିଜୁକି ଧରି ପ୍ରେତ ପରି ଚାଲିବାକୁ ପଡ଼ିବ !

 

କୂଳବାସୀ କେଉଟମାନଙ୍କ କୁଡ଼ିଆଭିତରୁ ଆଲୁଅ - ସବୁ ଗୋଟିକ ପରେ ଗୋଟିଏ ଲିଭିଯାଇଛି; ମାତ୍ର ଘର ଭିତରେ ଲୋକେ ଏପର୍ଯ୍ୟନ୍ତ ନ ଶୋଇ ଚାହିଁ - ରହିଛନ୍ତି । ଚିଲିକାର କୂଳପିଟା ଲହରୀ ଶବ୍ଦ ପବନ – ସ୍ରୋତରେ ଭାସିଆସି ଏ ଭୀଷଣ ରାତିକି ଆହୁରି ଭୀଷଣତର କରି ଦେଉଛି । ମୁମୂର୍ଷ ପ୍ରାଣରେ ଭୟ- ସଞ୍ଚାର ହେଉଛି । ଭଗବାନ୍ ! ଏପରି ସମୟରେ କିଏ ଅଭାଗା ଯେବେ ଚିଲିକା ଭିତରେ ପଡ଼ିଥାଏ ବା ଜନଶୂନ୍ୟ ପାହାଡ଼ ତଳେ ଚାଲିଥାଏ, ଏକା ପ୍ରଭୁଙ୍କ ଛଡ଼ା ତାର ଆଉ କିଏ ସାହା-ଭରସା ?

 

ବୋଧହୁଏ କେହି ଜାଣନ୍ତି କି ନାହିଁ ସନ୍ଦେହ, ଏହି କାଳରାତ୍ରିବେଳେଚିଲିକାକୂଳସ୍ଥ କୌଣସି ନା କୌଣସି ଗୋଟିଏ, କ୍ଷୀଣାଲୋକିତ କୁଟୀର ଭିତରେ କେହି ଜଣେ ଜରାକ୍ଳିଷ୍ଟା ଶ୍ରାନ୍ତ କ୍ଳାନ୍ତା ଅନୁତପ୍ତା ମୃତ୍ୟୁକୁ ପାଖେପାଖେ ରଖି ଛଟପଟ ହେଉଛି ! ଉଃ, କି ଯାତନା !

 

ଏହି ଭୀଷଣ ରାତି ଭିତରର ଏ ଗଳ୍ପ । ପାଠକଙ୍କୁ ଏହି ଜନଶୂନ୍ୟ ଶିଶିର ରଜନୀର ନାନା ବିଚିତ୍ରତା ଭିତରେ ଗୋଟିଏ ଅବହେଳିତ ଅନୁତପ୍ତ ପ୍ରାଣର କରୁଣ କାହାଣୀ ଶୁଣିବାକୁ ପଡ଼ିବ-

***

 

(୨)

 

ଥପଥପ କାକରରେ ବଣ-ପାହାଡ଼, ବିଲ- ପ୍ରାନ୍ତର - ସମଗ୍ର ପୃଥିବୀ ପୂରିଯାଇଛି । ତା’ ଉପରେ କ୍ଷୀଣ ଚନ୍ଦ୍ରାଲୋକ ! କେତେବେଳେ ଜକଜକ, କେତେବେଳେ ବା ଛାୟାଲୋକର ଚିତ୍ର ପରି ପୃଥିବୀ ଉପରେ ଦେଖାଯାଉଛି । ସେ ଦୃଶ୍ୟ ଦେଖିଲେ ଯେକୌଣସି ଲୋକ ତାର ଅତୀତ ଜୀବନକୁ ଫେରିଚାହିଁ ମନେ କରିବ ଯେ ଯାହା ତାର କରିବାର ଉଚିତ ନଥିଲା, ଜୀବନରେ ସେପରି କିଛି କାର୍ଯ୍ୟ ସେ କରିସାରିଛି ।

 

ଦୂରରୁ-ପଲ୍ଲୀପୁରର ଆରପଟୁ ଚାହିଁଲେ ଭାଲେରୀର ନିବିଡ଼ ତରୁଲତାପୂର୍ଣ୍ଣ ତଳ ପ୍ରଦେଶ ଏକ ପ୍ରକାଣ୍ଡ କୃଷ୍ଣ ବର୍ଣ୍ଣକମ୍ୱଳ ପରି ଦେଖାଯାଉଛି । ପ୍ରଶସ୍ତ ରାଜାରାସ୍ତା କେତେ ଦୂରରୁ ବୁଲି ବୁଲି ଆସି ସେ ଜଙ୍ଗଲ ପ୍ରଦେଶ ଭେଦକରି କୁଆଡ଼େ ମିଶିଯାଇଛି । କ୍ଷୀଣ ଚନ୍ଦ୍ରାଲୋକରେ ତାହା କିଛି ଦୂର ବାରିହେଉଛି ମାତ୍ର !

 

ରାସ୍ତା ଜନଶୂନ୍ୟ । ତା ଉପରେ ଗାଡ଼ିଘୋଡ଼ାର ଶବ୍ଦ ନାହିଁ, ଯାତାୟତର ଚହଳ ନାହିଁ, ଜୀବଜନ୍ତୁଙ୍କର ସଞ୍ଚାର ନାହିଁ-ସବୁଆଡ଼େ କେବଳ ଟୋପାଟୋପା ଶିଶିର ଖେଳେଇ ହୋଇ ରହିଛି । ଏପରି ଅବସ୍ଥାରେ ରାସ୍ତା ଉପରେ ଗାଡ଼ିଟାଏ ଚାଳିଲେ କାକର ବିନ୍ଦୁ ଉଉପରେ ଚକ ଦୁଇଟାର ଏକ କ୍ଷୀଣ ରେଖା ଚନ୍ଦ୍ରାଲୋକରେ କିଛି ଦୂରଯାଏ ଫିଟି ଦିଶନ୍ତା- ନିର୍ଜୀବ ରାସ୍ତାଟା ସତେ ବା ନବ ଜୀବନ ପାଇ ଜାଗ୍ରତ ହୁଅନ୍ତା !

 

ଦୂରରେ-ନିଘଞ୍ଚ ତରୁକୁଞ୍ଜ ଯେଉଁଠି ଆସି ଶିଶିରାକ୍ତ ସଦର ରାସ୍ତାକୁ ସ୍ପର୍ଶ କରିଛି, ତାହାରି ନିକଟରେ ହଠାତ୍‌କି ଏକ କ୍ଷୀଣ ଚିହ୍ନ ଦେଖାଗଲା । ପ୍ରଥମେ ସେହି ଚିହ୍ନଟି ହଲଚଲ ହେଲା-। ଜଣାପଡ଼ିଲା ତାହା ଗୋଟିଏ କିଛି ଜୀବନ୍ତ ଜିନିଷ । ଉତ୍ତରା ଝଡ଼ର ଦାରୁଣ ପ୍ରତିକୂଳରେ ତାହା ଆସିଲା, ଆସିଲା-, ଖୁବ୍‌ ନିକଟକୁ ଆସିଲା । କ୍ରମେ ସେହି କ୍ଷୀଣ ଛବିଟା ମଣିଷ ଆକାର ଧଇଲା । ଦେଖାଗଲା, ତାହାରି ପଛରେ-ସେହି ବିଚିତ୍ର ଛାୟାଲୋକିତ ଧରଣୀ-ପୃଷ୍ଠରେ ତାର ଗୋଟିଏ ଛାଇ ପଡ଼ିରହିଛି । ଜଣାପଡ଼ୁଥିଲା, ସତେ ଅବା ତାହାରି ଭୂତ ତାହାରି ପଛରେ ପଛରେ ଗୋଡ଼ାଇ ଆସିଛି-। ଏତେ ରାତିରେ-ଏପରି ଅବସ୍ଥାରେ-କିଏ ସେ ?

 

ସେହି ଛାୟାଟି ପ୍ରକୃତରେ ଗୋଟିଏ ଜୀବର ଛାୟା-ତାହା ଏକ ନାରୀ ।

 

ଏତେ ରାତିରେ ନାରୀ ! ଦେହରେ ଲମ୍ୱ ଓସାରର ଏକ ବଡ଼ ଲୁଗା ଜଡ଼ି ରହିଛି । ଥଣ୍ଡା ପବନରୁ ରକ୍ଷା ପାଇବା ପାଇଁ ମୁଣ୍ଡରେ ଗୋଟେବଡ଼ ପଣନ୍ତ । ଆଖି ନାକକୁ ଛାଡ଼ି ଦେହର ସକଳ ଅଂଶରେ ଲୁଗାଟାକୁ ସେ ଘୋଡ଼ାଇ ଦେଇ ହାତରେ ଜାକିଲା ପରି ଧରିଛି । ଦେଖିଲେ ଜଣାପଡ଼ୁଛି, ସଂସାର-ମାୟାରୁ ଅଲଗା ହୋଇ ପରମ ବୈଷ୍ଣବୀ କିଏ ତାର ନିଜ ବାଟରେ ଚାଲିଛି ପରା !

 

ପାଦର ଗତି ଏତେ ଚଞ୍ଚଳ ଯେ ପ୍ରତି ମୁହୂର୍ତ୍ତରେ ତାହା ଅଥୟ ଭାବରେ ଏଣେତେଣେ ପଡ଼ୁଛି । ମୁଖମଣ୍ଡଳ ଶ୍ରୀହୀନ, ବିବର୍ଣ୍ଣ, ଜରାକ୍ଳିଷ୍ଟ ପରି କପାଳର ଚର୍ମରେଖା କୁଞ୍ଚିତ ହୋଇ ରହିଛି । ଅସ୍ଥି କଙ୍କାଳ ପରି ଦେହରେ ପୁଳେ ମାଂସ ନାହିଁ; ନିତାନ୍ତ କ୍ଷୀଣ ଶରୀରଖଣ୍ଡକ କେବଳ ପବନ ସ୍ପର୍ଶରେ ଦୋହଲୁଛି ମାତ୍ର । ମୁଣ୍ଡର ଧଳା ବାଳକେରାକ କେତେବେଳେ କାନ୍ଧବାଟେ ବାହାରକୁ ଫିଟିପଡ଼ୁଛି, କେତେବେଳେ ବା ପଣନ୍ତ ଭିତରେ ବନ୍ଦୀ ହେବାପରି ରହୁଛି- ପବନ ତାକୁ ସେତେବେଳେ ସ୍ପର୍ଶ କରିପାରୁନାହିଁ ।

 

ଆହା ! ସେ ଅଭାଗିନୀ ଏପରି ନ ହୁଅନ୍ତା କିପରି ? ଦୀର୍ଘ ଦଶ ବର୍ଷକାଳ କ୍ଳାନ୍ତ କାତର ପ୍ରାଣରେ ବସି ବସି କିଏ ବା କାହାର ଜବାଧରାକୁ ସତେଜ ରଖିପାରିଛି ? ଏତେ ଦୀର୍ଘକାଳ ଦୁଃଖରେ, କୃତକର୍ମର ଅନୁତାପରେ କାନ୍ଦି କାନ୍ଦି ଘର ପାଇଁ, ଜଣକ ପାଇଁ ଦିନରାତି ଭାଳି ଭାଳି କିଏ କାହାର କୋମଳସୁଗଠିତ ତନୁକୁ ସୁନ୍ଦର ସଜ୍ଜିତ କରି ରଖିପାରିଛି ? କିଏ ବା କାହାର ଆରକ୍ତ ଅଧରତଳେ ଯୌବନର ହସଟିକକ ଏତେ ଦିନ ଅପେକ୍ଷାରେ ଢଳଢଳ ଅବସ୍ଥାରେ ସାଇତି ପାରିଛି-? ନା, କିଏ ପାରିନାହାନ୍ତି; ଏ ମଧ୍ୟ ପାରିନାହିଁ ।

 

ଏବେ-ଏତେ ଦିନ ପରେ, ଶେଷରେ ସେ ଫେରିଆସିଛି । ଏ ଆସିବା କଥା ଶୁଣି କେହି ହେଲେ ଲେଶମାତ୍ର ବିଶ୍ୱାସ କରିବା କଥା ନୁହେଁ; ମାତ୍ର ସେ ପ୍ରକୃତରେ ଆସିଛି । ଏତେ ଦିନ ପରେ ସେ କଳମୁଖରିତା ଚିଲିକା କୂଳରେ ଥିବା ତାର ପୁରୁଣା ପ୍ରିୟ ପରିଚିତ କେତୋଟି କୁଟୀର ପାଖକୁ ଫେରି ଆସିଛି !

***

 

(୩)

 

ନାରୀ ଚିଲିକାକୂଳର ଅନେକ କଥା ଜାଣେ । ଦୂରର ଗିରିଶ୍ରେଣୀକି ସେ ଚିହ୍ନେ, ଚିଲିକାର ପ୍ରତି ଲହରୀକି ସେ ବୁଝିପାରେ । ଅନ୍ଧାରରେ ପ୍ରେତଛାୟା ପରି ଠିଆହୋଇଥିବା ସାହି ଭିତରର ପାଳ ନଡ଼ାଗଦା କଥା ସେ ଭଲ ଭାବରେ ଜାଣେ । ତାର ଜଣାଶୁଣା ଚିଲିକା କୁଳର ଦଳୁଆ, ଆଇଁଷିଣିଆ ଗନ୍ଧ ସେ ବେଶ୍‌ ବାରିପାରେ । ଏତେ ଦିନ ପରେ ସେଠାକୁ ଫେରିଆସି ସେସବୁ କଥା ସେ ବେଶ୍‌ ଜାଣିପାରିଲା ।

 

ଏପର୍ଯ୍ୟନ୍ତ ସେ ମୁହଁ ପୋତିପୋତି ଚାଲିଥିଲା । ଚିଲିକାର ଥଣ୍ଡା ପବନ ଘନଘନ ଭାବରେ ଆଗରୁ ବାଧା ଦେଉଥିଲା । ମୁହଁ ଟେକି, ଜରାଗ୍ରସ୍ତ ଚକ୍ଷୁ ଦୁଇଟିକି ପହଁରେଇ ପହଁରେଇ ସେ ଚାରିଆଡ଼କୁ ଚାହିଁଲା । ଗତ ପନ୍ଦର ବର୍ଷ ଭିତରେ-ରାତିରେ, ଦିନରେ-ସେ କେତେ ସ୍ୱପ୍ନ ଦେଖିଛି । ସ୍ୱପ୍ନରେ ସେ ଏହିପରି କେତେ ଥର ଆସିଛି, ଚିଲିକାକୂଳେ, ଗାଁ ଭିତରେ କେତେ ସେ ବୁଲିଛି । ତେବେ ଏଥର କ’ଣ ତାହା ପ୍ରକୃତରେ ସ୍ୱପ୍ନ ନୁହେଁ ? ପ୍ରକୃତରେ କ’ଣ ସେଆସି ଗାଁ ପାଖରେ ପହଞ୍ଚିଛି ?

 

ପୁଣି ତାର ମୁଣ୍ଡ ଲଇଁଗଲା । ଜାଡ଼ ପବନକୁ ଠେଲି ଠେଲି ପୁଣି ସେ ଆଗକୁ ଆଗକୁ ଚାଲିଲା । ସେ ଏପରି ଭାବରେ ଏତେବେଳେ ଆସୁଛି ବୋଲି ସଂସାରର ଜନପ୍ରାଣୀ ବେଶି କିଛି ଜାଣନ୍ତି ନାହିଁ । ଏପରି ରାତି ଅଧରେ କେହି ହେଲେ ତାକୁ ଆଶା କରି ବସିନାହାନ୍ତି । ଏ ଆସିବା କଥା ସେ କାହାକୁ ହେଲେ ଚିଠିପତ୍ରରେ ସୁଦ୍ଧା ଜଣାଇ ନାହିଁ- ଭ୍ରମରା ମଧ୍ୟ ଏହା ଜାଣି ନାହିଁ । ଆଗରୁ କାହିଁକି ବା ସେ ଆସିଲା ନାହିଁ ? ଆସିଲେ ଦେଖିଥାନ୍ତା, ବିଚରା ଭ୍ରମରା ବୃଦ୍ଧ ବୟସରେ କିପରି ଦିନ ଗଣି ଗଣି ଦୁଃଖକଷ୍ଟରେ କାଳ କାଟୁଥିଲା ।

 

ସିଧା ସିଧା ସେ ଯାଇ ସାହିର ପ୍ରଥମ କୁଡ଼ିଆ ପାଖେ ହାଜର ହେଲା । ଆକାଶରେ ଚନ୍ଦ୍ର କୁହେଳିକା ଭେଦ କରି ଆଗର କୁଡ଼ିଆଗୁଡ଼ିକୁ ଉପରୁ ଟିକିଏ ଆଲୋକିତ କରୁଥିଲା । ମାତ୍ର ଭିତରେ କିଛି ହେଲେ ଆଲୋକର ଚିହ୍ନ ନଥିଲା; ତା ଭିତରେ ଖାଲି ଅନ୍ଧାର ନୃତ୍ୟ କରୁଥିଲା ।

 

କୁଡ଼ିଆ ପାଖରେ ଠିଆ ହୋଇ ମୁହୂର୍ତ୍ତେ କାଳ କ’ଣ ସେ ଭାବିଲା । ଉଃ, କି ଦାରୁଣ ସନ୍ଧି-ମୁହୂର୍ତ୍ତର ଭାବନା ସେ ! ଭାବି ଭାବି ମୁହଁ ଟେକି ଆଖି ମେଲେଇ ଚାହିଁଲା । ଆହା....ସେ ପରା ତାର ନିଜ ଗାଁର ନିଜ ସାହିର ପ୍ରଥମ ଘରଖଣ୍ଡିକ ! କେତେ ଦିନର କେତେ ସ୍ମୃତି- ଛାୟା ତା ମାନସ-ପଟରେ ଖେଳିଗଲା । ସେ ନିର୍ବାକ ଭାବରେ କେବଳ ଚାହିଁଲା-ତା’ଛଡ଼ା ସେ ଆଉ କିଛି କରିପାରିଲା ନାହିଁ ।

 

ଓହୋ ! ଶେଷରେ ଆସି ଲକ୍ଷ୍ୟ ସ୍ଥାନରେ ? ଆଉ ମୁହୂର୍ତ୍ତେ ମାତ୍ର ଜାଡ଼ ପବନକୁ ଠେଲି ଠେଲି ଯିବାକୁ ହେବ...ତା ପରେ ? ତା’ପରେ ଆଗରେ ଦୁଇଟା ଛୋଟଛୋଟ ଘର ...! ସେହିଠାରେ ସେ ଯାଇ ଠିଆ ହୋଇ ପଡ଼ିବ ? କାହାକୁ ଡାକିବ, ନା ତୁନି ହୋଇ କେବଳ ଠିଆ ହେବ ? ଓହୋ ! କ’ଣ ସେ କରିବ, କ’ଣ ସେ କହିବ- କିଏ ଜାଣେ ?

***

 

(୪)

 

ସେହି କ୍ଷୁଦ୍ର କୁଡ଼ିଆ-ତାହାରି ଭିତରେ ଭ୍ରମରା ନିଶ୍ଚେ ଶୋଇପଡ଼ିଥିବ । ନା, ଶେଯରେ ପଡ଼ି ପଡ଼ି ଜଣକୁ ସେ ଅପେକ୍ଷା କରିଥିବ ପରା ! ଦିନେ ନୁହେଁ,ମାସେ ନୁହେଁ, ପନ୍ଦର ବର୍ଷକାଳ ପରା ସେ କୁଡ଼ିଆ ଭିତରେ ଜଣକୁ ଅପେକ୍ଷା କରି ପଡ଼ିଛି ! ଆଜି କ’ଣ ସେ ଛାଡ଼ି ଚାଲିଯାଇଥିବ ?

 

ନାରୀ ଆହୁରି ଭାବିଲା-ପୁଣି କେତେ ଭାବିଲା । ବିଚାରିଲା, ଦୁଆରମୁହଁରେ ପାଦଶବ୍ଦ ଶୁଣି, କବାଟ ଖଡ଼କଡ଼ ହେବା ଜାଣି କୁଡ଼ିଆ ଭିତରୁ ଭ୍ରମରା ପାଟି କରି କହିବ-‘‘କିଏ ସେ ?’’

 

ସେତେବେଳେ ସେ ନିଜେ ଉତ୍ତର ଦେବ-କ’ଣ କିପରି ଉତ୍ତର ଦେବ, ଅନେକ ବର୍ଷ ହେଲା ଭାବି ଠିକ୍‌କରି ରଖିଛି । ଏତେ ଦିନ ପରେ ସେ ନିଜର ବ୍ୟାକୁଳ, ବ୍ୟଗ୍ର, ପୁଲକିତ କଣ୍ଠରେ କହିପକାଇବ-‘‘ହଁ, ହଁ, ମୁଁ ସିନା !’’

 

ବାଃ, ଏପରି ଗାଁରେ ଏତେ ରାତିରେ ମଧ୍ୟ ଲୋକେ ଚାହିଁ ରହିଛନ୍ତି । ବଡ଼ ଆଶ୍ଚର୍ଯ୍ୟର କଥା-!

 

ଚାହୁଁ ଚାହୁଁ ଗୋଟିଏ କୁଡ଼ିଆ ଭିତରୁ ଜଣେ କିଏ ବାହାରକୁ ବାହାରିବାର ଜଣାଗଲା । ଆଗରୁ ସେହି ଘର ଭିତରେ ଦୀପଟିଏ ମିଞ୍ଜିମିଞ୍ଜି ଜଳୁଥିଲା । ବୋଧହୁଏ କେତେଦିନର ରୋଗୀ କିଏ ସେହି ନିରୋଳା ରଜନୀରେ ଶେଯରେ ପଡ଼ି ହାହାକାର କରୁଥିଲା । ଖୁବ୍‌ସମ୍ଭବ ଏହି ପଥପ୍ରାନ୍ତବାସିନୀ, ଏକାକିନୀ, ଅନାଥିନୀ, ବୃଦ୍ଧାର ବହୁବର୍ଷର ପରିଚିତା କିଏ ଏ ସଂସାର ଛାଡ଼ି ଅପର ସଂସାରକୁ ଯିବାକୁ ସଜବାଜ ହେଉଥିଲା ! ଆହା !... ନା, ତାର ସମବୟସୀଗଣ ଯେବେ ଏ ସଂସାର ଛାଡ଼ି ଚାଲିଯାଇଥାନ୍ତି, ସେଥିରେ ବା ତା’ର ଯାଏ-ଆସେ କେତେ ? ତା’ର ତ ଶତ ସ୍ୱପ୍ନର ଧନ ଭ୍ରମରା ଅଛି, ଦୁଇଟି ଛୋଟଛୋଟ ସୁନ୍ଦର କୁଡ଼ିଆ ଘର ଅଛି, ତା’ର ତ ଆଶା ଅଛି, ତା’ର ତ ଅନନ୍ତ କଳ୍ପନା ଅଛି, ତା’ର ତ ଘର-ସଂସାର ଗଢ଼ିବାକୁ ପୁଣି ତ ନୂଆ କରି ସଂସାରରେ ମୁଣ୍ଡ ଟେକିବାକୁ ଘର ଅଛି । ଆଉ କିଛି ନଥିଲେ କ୍ଷତି କ’ଣ ?

 

ସେଇ ଯେଉଁ ଛାୟାଟା କୁଡ଼ିଆ ଭିତରୁ ବାହାରି ବାହାରକୁ ଆସିଲା, ଲୁଗାପଟାକୁ ଦେହରେ ଭଲ ଭାବରେ ଜଜଡ଼ାଇ ଧରିଥିଲା, ଘରୁ ବାହାରିଲା ମାତ୍ରେ ସେ ଦେଖିଲା ଆଗରେ ଏ ଛାୟା । ପ୍ରଥମେ ଟିକିଏ ଚମକି ଠିଆହେଲା । ଭାବିଲା, ଏତେ ରାତିରେ ଏ ବାଟରେ ପୁଣି ଏ କିଏ-? ଦିହେଁଦିହିଙ୍କି ଦେଖି ଆଶ୍ଚର୍ଯ୍ୟ ହେଲେ । ସେହି କ୍ଷୀଣ, ଶାନ୍ତ ଆଲୋକ ଭିତରେ ଦିହେଁଦିହିଙ୍କି ଚାହିଁ ରହି ମନେ ମନେ କ’ଣ ଭାବିବାରେ ଲାଗିଲେ ।

 

ସେ ସେଣୁ ଆସିଲା, ଏ ଏଣୁ ଗଲା; ଦୁହେଁ ମୁହାଁମୁହିଁ ଠିଆହେଲେ । ଏହିପରି କିଛି ସମୟ ନୀରବରେ କଟିଲା ।

 

ହଠାତ୍‌ ଦ୍ୱିତୀୟ ଜଣଙ୍କ ମୁହଁରେ ହାସ୍ୟରେଖା ଫୁଟିଉଠିଲା । ତା ଦେଖି ପ୍ରଥମ ଜଣକ ଟିକିଏ ଥଙ୍ଗିଲା ପରି ହୋଇ ପଛକୁ ଘୁଞ୍ଚିଗଲା । କେତେକ ସମୟ ପରେ ପ୍ରଥମା କହିଲା-‘‘ଚିହ୍ନିପାରୁଚୁ, ପାରବ, ଚିହ୍ନିପାରୁଚୁ ?’’

 

ଦ୍ୱିତୀୟା ଆଶ୍ଚର୍ଯ୍ୟରେ ଆଖି ତରାଟି କହିଲା- ‘‘ଏ ମାଆ ଲୋ...କିଏ, ତୁ କି ଲୋ...!’’

 

-‘‘ହଁ ଗୋ, ହଁ, ମୁଁ ସିନା...’’

 

-‘‘ସତେ ? ତୁ ଏବେ ? ମୁଁ ପରା ଦୂରରୁ ଦେଖି ଭୟରେ କାଠ ହୋଇଯାଇଥିଲି ।’’

 

-‘‘ତୁ କ’ଣ ମତେ ଗୋଟିଏ ଭୂତ କି ଡାହାଣୀ ବୋଲି ବିଚାରୁଥିଲୁ, ନୁହେଁ ?’’

 

ଦ୍ୱିତୀୟାର ଆଶ୍ଚର୍ଯ୍ୟର ସୀମା ନାହିଁ । ସେ ସେହି ଏକା ପ୍ରଶ୍ନକୁ ଗୁଡ଼େଇ-ତୁଡ଼େଇ, ବିଶ୍ୱାସ ନ କଲା ପରି ପଚାରିଲା-‘‘ସତ କହୁଚୁ, ଶାରୀ, ସତରେ କ’ଣ ତୁ ଆସିଲୁ...?’’

 

-‘‘ସତ ନୁହେଁ କ’ଣ ମିଛ ? ମୁଁ ପରା...’’

 

ପବନର ସାଇଁସାଇଁ ଶବ୍ଦ ଯୋଗୁଁ ଦିହେଁ ଖୁବ୍‌ପାଟିକରି କଥାବାର୍ତ୍ତା ହେବାକୁ ପଡୁଥିଲା । କଥାବାର୍ତ୍ତା ହେଉଥିଲାବେଳେ ଆଗ୍ରହ, ଆଉ ଆନନ୍ଦରେ ପାରବ ତାର ହାତକୁ ଲୁଗା ଭିତରୁ କାଢ଼ି ଶାରୀର ହାତକୁ ଧଇଲା । ଶାରୀ ମଧ୍ୟ ତା ହାତ ବଢ଼ାଇଦେଲା । କେତେ ବର୍ଷର ପୁରୁଣା ଜରାଗ୍ରସ୍ତ ହାତ ସେ- ସେହି ଦୁଇ ହାତରେ କେବଳ ହାଡ଼ ଆଉ ଚମ ଛଡ଼ା ଆଉ କିଛି ନଥିଲା । ବୟସ, କାଳ ଦେହର ରକ୍ତମାଂସ ସବୁ କୁଆଡ଼େ ଶୁଖେଇ ଦେଇଥିଲା ।

***

 

(୫)

 

ଶାରୀକୁ ଏପରି ଅସମୟରେ ଏତେ ଦିନ ପରେ ଦେଖି ପାରବଯେ କି ନୂଆ କଥା ଶୁଣେଇବ, କି ନୂଆ କଥା ପଚାରିବ, ବୁଝିପାରିଲା ନାହିଁ । ମନ ଭିତରେ ଯୁଗକ ତଳର କଥା ଛାୟାପରି କେବଳ ଖେଳିଗଲା । ପଚାରିଲା-‘‘ଯାହା ହଉ,... ସତେ ଆସିଲୁ ? ମା’ ଭଗବତୀ ମଙ୍ଗଳ କରନ୍ତୁ...ହଉ...’’

 

ଶାରୀ ସଙ୍ଗେ ସଙ୍ଗେ ସ୍ୱରକୁସ୍ୱର ମିଶାଇଲା ପରି କହିଲା-‘‘ହଁ ଲୋ, ହଁ ତମେ ସଭିଏଁ ଜୀଇଥିବ, ତମକୁ ଦେଖିବି, ୟା ମୋର ମନେନଥିଲା ।

 

ପାରବରସ୍ୱର ଟିକିଏ କରୁଣାର୍ଦ୍ର ହୋଇଆସିଲା । କହିଲା-‘‘ହଁ, ବଳକାଳ ତ ଗଲାଣି; ଆଉ କେତେ ଦିନ କି ? ଆସି ତ ବୁଢ଼ୀ ହେଲିଣି; ଏଣିକି...’’

 

-‘‘ସତ କଥା ସିନା...କାଳ କ’ଣ କାହାକୁ...’’

 

ଦିହେଁ ପବନକୁ ଠେଲି ଠେଲି ଆଗକୁ ଆଗକୁ ଚାଲିଲେ । ତାଙ୍କ ପଛେ ପଛେ ସେହି ଜନଶୂନ୍ୟ ରାସ୍ତା ଉପରେ ଦୁଇଟା କ୍ଷୀଣ ଦୀର୍ଘ ଛାୟା ଗୋଡ଼େଇଗୋଡ଼େଇ ଚାଲିଲା ପରି ଦେଖାଗଲା ।

 

ଚାଲୁ ଚାଲୁ ବାଟରେ ପାରବ ପଚାରିଲା-

 

-‘‘ସତ କହିବୁ, ଶାରୀ ? ମନରେ କିଛି ଦୁଃଖ ବିଚାରିବୁ ନାଇଁ, କଥେ ପଚାରିବି । ସେ କଥା କ’ଣ ...?’’

 

ପାରବ ମୁହଁରୁ କି ପ୍ରଶ୍ନ ବାହାରିବ, ଶାରୀ ଅଧାରୁ ବୁଝିବାକୁ ବାକି ରହିଲା ନାହିଁ । ସଙ୍ଗେ ସଙ୍ଗେ ଜବାବ ଦେଲା-‘‘କଳାପାଣି ? ହଁ, ସତ; ମାତ୍ର ମତେ ପଛରେ ଏବେ ଦୟା କରି ଛାଡ଼ିଦେଲେ । ନ ହେଲେ ତ ଏବେ ସେଇଠି ଥାଆନ୍ତି ।’’

 

-‘‘ଯାହା ହଉ ଲୋ ଭଉଣୀ, ପ୍ରଭୁଙ୍କ ଦୟା ଏ । କାହା ମନରେ ଥିଲା ଆଉ ଏ ଦେଖା ହବ ବୋଲି ?’’

 

-‘‘ହଁ, ନୁହେଁ କ’ଣ !’’

 

ତା ପରେ ମୁହୂର୍ତ୍ତେ ଖଣ୍ଡେ ନୀରବରେ ଚାଲିଲା ପରେ ଶାରୀ ପୁଣି ପଚାରିଲା- ‘‘ଆଚ୍ଛା, କହିଲୁ, ଆମର ସେ କେମିତି ଅଛନ୍ତି...?’’

 

-‘‘ଭ୍ରମରା କଥା ପଚାରୁଛୁ ? ସବୁ ଭଲ । ଧନ୍ଦିହୋଇ ମରିବାକୁ ତାର ଆଉ କିଛି ନାଇଁ-।’’

 

ଚମକିଲା ପରି ଶାରୀ ତୁଣ୍ଡରୁ କଥା ବାହାରି ପଡ଼ିଲା-‘‘ସତେ ?’’

 

ସତେ ଅବା ଏହି ପଦକ ଶୁଣି ତା ପ୍ରାଣରେ ପ୍ରବଳ ଝଡ଼-ତୋଫାନ ବହିଗଲା ! ସେ ଆଉ ପଦେ ହେଲେ କିଛି ନ କହି ଆଗକୁ ଆଗକୁ ପାଦ ଚାଳିଲା । ଶୀତରେ ତ ଦେହ ଥରୁଥିଲା; ଏ କଥା ଶୁଣି ମନ ଭିତରଟା ମଧ୍ୟ ଥରିଲା । ପାରବଠାରୁ ଆଉ ବେଶି କିଛି ଶୁଣିବାକୁ ତାର ଇଚ୍ଛା ହେଲା ନାହିଁ ।

 

ସତେ କ’ଣ ଭ୍ରମରା ଧନ୍ଦି ହେବାକୁ, ଘାଣ୍ଟି ହେବାକୁ କିଛି ନାହିଁ ? ସେ କ’ଣ ଏ ଭିତରେ ଆଉ କାହାକୁ ଥୁଆଥୋଇ ହୋଇ ଘରଦ୍ୱାର କରିଛି ? ନା...ଶାରୀ ଏ ସବୁ କଥା ବେଶି ଭାବିବାକୁ ଦରକାର ମନେକଲା ନାହିଁ । ପାରବଠାରୁ ଶୁଣି କି ଲାଭ ? ସେ ନିଜେ ଯିବ, ନିଜ ଆଖିରେ ସବୁ ଦେଖିବ ।

***

 

(୬)

 

ଶାରୀ ଆଉ ପାରବ ଦୁଇଟି ପଲ୍ଲିବାସିନୀ ବୃଦ୍ଧା ସେହି ନିର୍ଜନ ପଲ୍ଲୀକୁଟୀର ପାଖେ ପାଖେ ଲଗାଲଗି ହୋଇ ଚାଲିଥିଲାବେଳେ ପାରବର ହୃଦୟ କିଆଁ ବ୍ୟସ୍ତ ବିଚଳିତ ହୋଇପଡ଼ିଲା-? ତାର ବହୁ ବର୍ଷତଳର କଥା- ଦଶ ବର୍ଷ ତଳର କଥା ମନେ ପଡ଼ିଲା । ସେତେବେଳେ ଗାଁରେ ଯେଉଁ ଗୋଳମାଳ ସୃଷ୍ଟି ହୋଇଥିଲା, ଯେ ଚହଳ ପଡ଼ିଥିଲା, ଶାରୀକି ଦେଖିବା ମାତ୍ରେ କାଲିର ଘଟଣା ପରି ତାକୁ ସବୁ ଆଗେ ଆଗେ ଦେଖାଗଲା । ସେତେବେଳେ ସେ ନିଜେ ସରକାରୀ ଧାଈ ପାଖକୁ ଯାଇ ଶିଶୁଟି ମରିଯାଇଥିବା ବିଷୟରେ ସକଳ ଖବର ଦେଇ ଆସିଥିଲା । ମାତ୍ର ଧାଈ ମନରେ ସେ ବିଷୟରେ ସନ୍ଦେହ ହେବା ଫଳରେ ଶିଶୁର ମାଆ ହୀରା, ଆଉ ସେ ନିଜେ କଚିରିକୁ ଯିବାକୁ ପଡ଼ିଲା । ରୀତିମତ ମକଦ୍ଦମା ହେଲା । ଅନେକ ଦିନ ଏହି ଗୋଳମାଳ ଚାଲିଲା । ଦାଣ୍ଡ ବାଟଘାଟ ସବୁଆଡ଼େ ସବୁ ମହଲରେ ଏହି ଭୀଷଣ ମକଦ୍ଦମା କଥା ଶୁଣାଗଲା । ପ୍ରମାଣ ପାଇଁ ମଶାଣି ଭିତରୁ ଶିଶୁକୁ ଖୋଳାଯାଇ କରିକି ଅଣାଗଲା-। ଶେଷରେ ଶାରୀ ଆଉ ତାର ପୋଷିଆଁ ଝିଅ ହୀରା ଯେତେବେଳେ ନିଜ ତୁଣ୍ଡରେ ସକଳ କଥା ମାନି କହିଗଲେ, ମକଦ୍ଦମାର ବିଚାର ସରିଲା । ବିଚାରରେ ହୀରାକୁ ସାତ ବର୍ଷ ଜେଲ୍‌ ହୋଇସାରିକି କଳାପାଣି ଦଣ୍ଡ ହେଲା । ଏହି ଘଟଣାରେ ଶାରୀ ମନ୍ତ୍ରଣାରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରମାଣିତ ହେଲା ।

 

ଏମାନଙ୍କ ସଙ୍ଗେ ଭ୍ରମରା ମଧ୍ୟ ଧରାହୋଇଥିଲା । ମାତ୍ର ବିଚରା ଶେଷରେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହୋଇ ଖଲାସ ପାଇଲା । ଯେତେବେଳେ ଥାନାର ଦାରୋଗାବାବୁ ମଫସଲର ଏହି ଦୁଇଟି ନାରୀଙ୍କି ବାନ୍ଧିନେବାକୁ ଆସିଥିଲେ, ଭ୍ରମରା ସେତେବେଳେ ନିଜ ଘର ଭିତରେ କ’ଣ ଭାବି ଏପାଖ ସେପାଖ ହେଉଥିଲା । ମଝିରେ ମଝିରେ ପଞ୍ଜରବାଟେ ବାହାରକୁ ଚାହୁଁଥିଲା- ପିଲାଙ୍କ ପରି ଲୁହ ଢାଳି ଭୋ-ଭୋ କାନ୍ଦୁଥିଲା ।

 

ରାସ୍ତାର ଏକ ଛକ ସ୍ଥାନରେ ପାରବ ତା ଘର ଆଡ଼କୁ ବାଟ ବଙ୍କେଇ ଚାଲିଗଲା ପରେ ଶାରୀ ଏକାକିନୀ ପୁଣି ସେହି ରାତିରେ ଆଗକୁ ପାଦ କାଢ଼ିଲା । ଭ୍ରମରା ବିଷୟରେ କ’ଣ ବା ସେ ପଚାରି ବୁଝିଥାନ୍ତା; ମାତ୍ର ମନ କିଆଁ ପାଇଲା ନାହିଁ ।

 

ଚାଲୁ ଚାଲୁ ଆଗରେ ଖଣ୍ଡେ ଦୂରରେ ତାର ଚିର ପରିଚିତ ପ୍ରିୟ କୁଡ଼ିଆଟି ଦେଖାଗଲା-ତା ହୃତ୍‌ପିଣ୍ଡ ଦାଉଁଦାଉଁ ପଡ଼ିଲା ଉଠିଲା । ଓଃ, ଆଉ ମୁହୂର୍ତ୍ତେ ଖଣ୍ଡେ ପରେ ସେ ଆସି ନିଜ ଘରେ ପହଞ୍ଚିବ...!! ସେତେବେଳେ ସେ କରିବ କ’ଣ ? କାହାକୁ କହିବ କ’ଣ ?

 

ଶାରୀ ବୃଦ୍ଧା । ବୟସ ଚାଳିଶିରୁ କମ୍‌ନୁହେଁ। ତଥାପି ଏ ଜରାଜୀର୍ଣ୍ଣ ପରିଣତ ବୟସରେ ସେ ଏକ ଅପୂର୍ବ ନୂତନ ଜୀବନ କଳ୍ପନା କଲା । ଭାବିଲା, ତାର ସକଳ କର୍ମ ପାଇଁ ସେ ପ୍ରାୟଶ୍ଚିତ୍ତ କରିବ । ମନପ୍ରାଣ, ସ୍ନହ, ମମତା ଦେଇ ଭ୍ରମରାକୁ ଆପଣାର କରି କିଣିନେବ । କେବଳ ସେହି ଏକମାତ୍ର ପାପପାଇଁ ସେ ଦୀର୍ଘ ଦଶ ବର୍ଷକାଳ ଏପରି ଅନୁତାପାନଳରେ ଦହିହୋଇ ନାହିଁ- ଜୀବନର ବହୁ ଅନ୍ୟାୟ ପାଇଁ ସେ କାତର ଭାବରେ କାନ୍ଦିଛି । ବର୍ଷ-ବର୍ଷଧରି ପ୍ରାଣେଶ୍ୱରସ୍ୱାମୀ ପ୍ରତି କେତେ ହୀନ ବୁଦ୍ଧି ଖେଳାଇଛି । ଘରେ ନ ପଶୁଣୁ ଛାଞ୍ଚୁଣୀମୁଣ୍ଡା ଦେଖାଇ ବାହାର କରିଦେଇଛି । କେତେ ଅଖାଦ୍ୟ ଖାଇବାକୁ ଦେଇଛି । କେତେ ବିଷାକ୍ତ ବିବାଦ ଫଳରେ ପବିତ୍ର ଗୃହ-ସ୍ୱର୍ଗକୁ କଳୁଷିତ କରିଛି । ଏ ସବୁ ଅନ୍ୟାୟ ଅଧର୍ମ ପାଇଁ ପ୍ରାୟଶ୍ଚିତ କରିବାକୁ ହେଲେ ସେ ବଞ୍ଚିରହିବା ଦରକାର ! ବଞ୍ଚି ରହି ଏହି ଜୀବନରେ, ଏହି ରକ୍ତମାଂସ ଶରୀରରେ ପ୍ରାୟଶ୍ଚିତ ଲୋଡ଼ିବା ଦରକାର !! ଏଇଥିପାଇଁ, ତାର ଦୀନାତ୍ମାର ମୁକ୍ତି ପାଇଁ, ତାର କଳୁଷିତ ପ୍ରାଣର ଉଦ୍ଧାର ପାଇଁ ଏତେ ଦିନେ ଏପରିଭାବରେ ସେ ଭାବି ଭାବି ଘରମୁହାଁ ଧାଇଁଆସିଛି-ଧାଇଁଆସି ମୁକ୍ତିର ବାଟ ଖୋଜୁଛି । ଏହି ହେତୁରୁ ସେ ସକାଳେ, ସନ୍ଧ୍ୟାରେ, ଶୟନରେ, ସପନରେ ସବୁବେଳେ କାନ୍ଦି କାନ୍ଦି ପ୍ରଭୁଙ୍କୁ ଡାକୁଛି- ‘ପ୍ରଭୁ ହେ, ମତେ ଜୀବନରେ ବଞ୍ଚେଇରଖ, ମତେ ମୋ ପାପର ପ୍ରାୟଶ୍ଚିତ୍ତ ପାଇଁ ସମୟ ଦିଅ । ଏ ଜୀବନରେ ଯାହା ଅଛି, ସେ ସବୁ ବାଢ଼ି ତୁମରି ପାଦତଳେ ମୁଁ ମୁକ୍ତି ଲୋଡୁଛି- ମୋ ଗୁହାରି ଶୁଣ ।’

***

 

(୭)

 

ଶାରୀ ପ୍ରାୟଶ୍ଚିତ୍ତ ପାଇଁ ମନେ ମନେ ନ ଭାବିଲା କ’ଣ ? ସବୁ କଷ୍ଟ ସହିବ, ଏ ବୟସରେ ନିଜ ହାତରେ ପରିଶ୍ରମ କରିବ, ନିଜ ଘର ଚଳେଇବ, ନିଜେ ଭ୍ରମରାର ସେବା କରି ଆଗରୁ ତବତ ଭାତ ଖାଇ ତା ପାଇଁ ଆଉ ତିନିଦିନ ତଳର ବାସି ପଖାଳ ରଖିବ ନାହିଁ । ସେ ଏଣିକି ସ୍ୱାମୀ ସଙ୍ଗେ ବିଲକୁ ଯିବ, ବଣକୁ ଯିବ-ମୋଟାମୋଟି ଘରଟିକୁ ଯେମିତି ଚଳେଇବା କଥା ସେମିତି ଚଳେଇବ । ତୁଣ୍ଡରେ ଆଉ ପଦେ ହେଲେ ପରନିନ୍ଦା କଥା ଧରିବ ନାହିଁ । ଇମିତି ଭଲ ମଣିଷ ପାଲଟିଯିବ ଯେ ସାହିଯାକର, ଗାଁଯାକର ଲୋକେ ପଛରେ କୁହାକୁହି ହେବେ -‘ଆହା, କେଡ଼େ ସୁଖରେ ସେମାନେ ଚଳୁଚନ୍ତି !’

 

ଶାରୀ ମନେ ମନେ ଭାବିଲା-‘ସେତେବେଳେ ଏଇ ଶାରୀଟି ଗାଁକୁ ହେବ ଗୋଟିଏ ଲକ୍ଷ୍ମୀ ପରି । ସମସ୍ତେ ୟାରି କଥା ମାନି ଚଳିବେ, ସମସ୍ତେ ୟାକୁ ପଚାରି କରିବେ । ସମସ୍ତେ ୟା କାର୍ଯ୍ୟରେ ତୋଷି ହୋଇଯିବେ ।’ ଭାବି ଭାବି ତା ମନ ଆନନ୍ଦରେ କୁଣ୍ଢେମୋଟ ହୋଇଗଲା ।

 

ସେହି ଦଶ ବର୍ଷ ତଳେ ଶାରୀ ଆଉ ଭ୍ରମରା ଯେଉଁ କୁଡ଼ିଆଟିରେ ରହୁଥିଲେ, ପ୍ରଭୁଙ୍କ କୃପାରୁ ତାହା ସେହିପରି ଠିଆ ହୋଇ ରହିଛି । ଧନୀ ଜମିଦାର ସରବରାକାରଙ୍କ ଘର ଆଗରେ ତାହା ନିତାନ୍ତ କ୍ଷୁଦ୍ରାଦପି କ୍ଷୁଦ୍ର । ତଥାପି ଗଗନର ଚନ୍ଦ୍ର ସାନ ବଡ଼ ନ ବିଚାରି ତା ଉପରେ ଧୂସର ଆଲୋକ ଲୀଳା ଆରମ୍ଭ କରିଛି । ଦୁଇ-ଚାରିଟା କି ଲତା ଚାଳରେ ମାଡ଼ିଯାଇ ଘରଟାକୁ ସତେ ଅବା କାଳର ଧ୍ୱଂସଲୀଳାରୁ ରକ୍ଷା କରିବାକୁ ଅନବରତ ଚେଷ୍ଟା କରୁଛନ୍ତି କିମ୍ୱା କି ଅନୁଭୂତି ପାଇବା ପାଇଁ ଘରଟାକୁ ନିବିଡ଼ ଭାବରେ ଆଲିଙ୍ଗନ କରି ରହିଛନ୍ତି ! ଘର ଭିତରେ ଆଲୁଅର ସତ୍ତା ନାହିଁ । ଖୁବ୍‌ସମ୍ଭବ, ଭ୍ରମରା ସେତେବେଳକୁ ଭିତରେ ନିଘୋଡ଼ ନିଦରେ ଶୋଇପଡ଼ିଛି ! ଶାରୀ ଭାବିଲା, ଭ୍ରମରା ଶୋଇଛି କି ଚାହିଁଛି ? କେହି କି ତାର ଜୀବନସଙ୍ଗିନୀହୋଇ ଏ ମଧ୍ୟରେ ଏ ଘରେ ଆସି ରହିଛି ? କିଏ କହିବ ଏ କଥା ? ସେ ବିଭା ହୋଇଛି କି ଏତେ କାଳ ଏକାପରି ଏକାକୀ କଟେଇ ନିତାନ୍ତ ଧୈର୍ଯ୍ୟର ସହିତ କେବଳ ତାହାରି ବାଟ ଚାହିଁ ବସିଛି, ଶାରୀପକ୍ଷରେ ଜାଣିବା ବଡ଼ ଦୁଷ୍କର ।

 

ଏ ପୁଣି କ’ଣ ? ଶାରୀ ଆଖି ତରାଟି ବିସ୍ମୟରେ ଆଗକୁ ଚାହିଁଲା । ଦେଖିଲା-ଆଗରେ ତାର କେବଳ ସେହି କୁଡ଼ିଆ ଖଣ୍ଡକ ଅଛି । ଆଉ, ଦୁଆର ଆଗରେ ଯେ ବାଡ଼ ପଡ଼ିଥିଲା, ସବୁ କୁଆଡ଼େ ଲୋପ ହୋଇଯାଇଛି । ଭାବିଲା, ସେ କ’ଣ ତେବେ ଗାଈଗୋରୁ ବିକିଦେଇ ଘରଦ୍ୱାର ଉଜାଡ଼ି ଦେଇଛନ୍ତି ?

 

ସେହି ଜରାକ୍ଲିଷ୍ଟ ନୟନଯୁଗଳକୁ ତରାଟି ଦେଇ ସେ ଏହିପରି ଭାବୁଥିଲାବେଳେ ଦୃଷ୍ଟି ଯାଇ ଆଉ ଖଣ୍ଡେ ଦୂରରେ ପଡ଼ିଲା । ଦେଖିଲା, ପୁରୁଣା ଘର ପାଖକୁ ଲାଗି ଆଉ କାହାର ଦୁଇଟି ଘର ମୁଣ୍ଡ ଟେକି ଠିଆହୋଇଛି । ଏସବୁ ସତେ କ’ଣ ଭ୍ରମରା କରିପାରିଛି ? ତାହା ଯଦି ନ ହୋଇ କଥା ଅନ୍ୟ କିଛି ପ୍ରକାରର ହୋଇଥାଏ, ତେବେ ?

 

ଭାବି ଭାବି ସେ ବିଚଳିତ ହୋଇପଡ଼ିଲା । ଜାଡ଼ ସହି ଆଉ ବେଶୀ ସମୟ ସେ ରାସ୍ତାରେ ଠିଆହୋଇ ପାରିଲାନାହିଁ । ବେଳକୁବେଳ ଗୋଡ଼ହାତ କୋଲମାରିଆସିଲା । ପବନ ଦାଉ ଅସମ୍ଭାଳ କଲା । ବାଧ୍ୟ ହୋଇ ନିଜର ଅଜ୍ଞାତରେ ସେ ଆଗକୁ ପାହୁଣ୍ଡ ଚାଳିଲା । ପାହୁଣ୍ଡେ ଗଲା, ଦି’ପାହୁଣ୍ଡ ଗଲା... କିନ୍ତୁ କି ବିଚିତ୍ର କଥା, ସେ ଘରଦ୍ୱାର ତାକୁ ଆଗରୁ ଧକା ମାଇଲା ପରି ଲାଗିଲା-। ଜଣାପଡ଼ିଲା, ସେହି ଘର ଭିତରେ ଅନେକ ଦିନ ହେଲା ସତେ ଯେପରି କିଏ ଆଉ ନାହିଁ-। ଘର ଭିତରଟା ଭୂତଖାନା ପରି ଶୂନ୍ୟରେ ଖାଲି ହାହାକାର କରୁଛି ! କଥା କ’ଣ ? କ’ଣ ହୋଇପାରେ ?

 

ସେହି ପରିଚିତ ରାସ୍ତା ପାର ହୋଇ ସେ ଯେତେବେଳେ ଘର ଭିତରକୁ ପଶିବାକୁ ଚେଷ୍ଟାକଲା, ଜ୍ୟୋସ୍ନାରକ୍ଷୀଣାଲୋକରେ ତା ଦେହର ଦୀର୍ଘ ଛାୟା ଦୀର୍ଘତର ହୋଇ ପଛେ ପଛେଗୋଡ଼ାଇଲା । ପବନ ଦାଉରେ ଲୁଗାଟା ମୁଣ୍ଡରୁ ଖସିଯାଇଥିଲା । ପଛପଟେ ପଣତକାନିଟା ଦୋହଲୁଥିଲା- ଶୀତରେ ତା ଦେହ ଗୋଟାକଯାକ ଥରୁଥିଲା !

 

ଶାରୀ ଯେଉଁ ରାସ୍ତା ଦେଇ ପାଦ ଚାଳିଲା, ଆଗେ ତାହା ସୁନ୍ଦର, ଶୁଖିଲା, ପାଦଚଲା ରାସ୍ତା ଥିଲା । ମଣିଷ ପାଦରେ ତାହା ଟାଇଁଟାଇଁ ଶବ୍ଦ ହେଉଥିଲା । ଏବେ ଆଉ ସେ ରାସ୍ତା ନାହିଁ-ଘାସ ଉଠି, ଅଳିଆ ଜମା ହୋଇ ତାହା ଅଣବାଟ ବା ଅବାଟ ହୋଇପଡ଼ିରହିଛି । ତା ଉପରେ ପାଦ ଚାଳିଲେ ତାହା ଏକ ମୃତ ରାସ୍ତା ପରି ଜଣାପଡ଼ୁଛି ।

 

ଶାରୀ ଅନୁଭବ କଲା, ତାହାରି ପଦାଘାତରେ ଭୂଇଁତଳୁ କିପରି ଏକ ଅଳସ-ଜଡ଼ିତ ଶବ୍ଦ ଉଠୁଛି । ସତେ ଅବା ଜାଡ଼ ପବନରେ ପାଦର ଶବ୍ଦ ମଧ୍ୟ ଜଡ଼ସଡ଼ହୋଇ ଆସୁଛି ! ଏହା ମୃତ୍ୟୁର ଚିହ୍ନ କି ଜୀବନର ଚିହ୍ନ ତାକୁ ଅନୁମାନ କରିବାକୁ ବେଶୀ ସମୟ ଲାଗିଲା ନାହିଁ ।

 

ଧୀରେ ଧୀରେ ପାହାଚ ଉପରକୁ ଉଠିଲାବେଳେ ଶରୀର ବୁକୁଟା ଖାଲି ପଡ଼ିଲା ଉଠିଲା-। କାହିଁ, ଘର ଭିତରେ ତ ଜନପ୍ରାଣୀ ଥିବାର ଚିହ୍ନ-ବର୍ଣ୍ଣ ସୁଦ୍ଧା ନାହିଁ । ଘୋର ଶଙ୍କିତ ହୃଦୟରେ ଦୁଆରେ ହାତ ମାଇଲା । କେହି ହେଲେ ‘କିଏ ସେ ?’ ବୋଲି ପଚାରିଲେ ନାହିଁ କି ତାକୁ ମଧ୍ୟ, ‘ହଁ, ମୁଁ ସିନା’ ବୋଲି ଉତ୍ତର ଦେବାକୁ ଦରକାର ପଡ଼ିଲା ନାହିଁ ।

 

ପ୍ରଥମେ ଦାଣ୍ଡଘରେ ପାଦ ପଡ଼ିଲା ! ଏତେ ଦିନ ଏତେ ଭାବନା କଳ୍ପନା ପରେ ସେ ଆସି ତାର ଏତେଦିନର ସ୍ୱପ୍ନର ଧନ ନିଜ କୁଡ଼ିଆ ଭିତରେ ପହଞ୍ଚିଲା । ଛୋଟିଆ ଜଳାକବାଟିବାଟେ ବାହାରର କ୍ଷୀଣଲୋକ ଘର ଭିତରେ ସାମାନ୍ୟ ଆଲୋକ ସଞ୍ଚାର କରୁଥିଲା । ତା ନ ହୋଇଥିଲେ ଘରଟା ତାକୁ ଅନ୍ଧକାରର ଏକ ଜମାଟବନ୍ଧା କୋଠରି ପରି ଜଣାପଡ଼ୁଥାନ୍ତା ।

 

ଘର ଭିତରେ ଠିଆହୋଇ ସେ ଆଗ ସ୍ଥିର ଭାବରେ କାନେଇଲା । ମାତ୍ର କାହାରି ହେଲେ ନିଶ୍ୱାସ-ମରା ଶବ୍ଦ ତା କାନରେ ପଡ଼ିଲା ନାହିଁ । କେହି ଜଣେ ହେଲେ ଶୋଇଘୁଙ୍ଗୁଡ଼ି ମାରୁଥିବା ତାକୁ ଜଣାଗଲା ନାହିଁ । ଚାରିଆଡ଼େ ହାତ ବୁଲେଇଲା । ଶୂନ୍ୟ ମନ୍ଦିର ସେଟା- କିଛି ହାତରେ ବାଜିଲା ନାହିଁ । ଭାବିଲା, ତେବେ କ’ଣ ସେ ଘରଦ୍ୱାରଛାଡ଼ି, ଏ ସଂସାର ଛାଡ଼ିକୁଆଡ଼େ ଚାଲିଯାଇଛନ୍ତି ! ପ୍ରଭୁ ହେ, ମତେ ଚାହିଁ ଚାହିଁ କ’ଣ ତାଙ୍କ ଜୀବନର ସକଳ ଲୀଳା-ଖେଳା ସରିଯାଇଛି ! ସେ ଘରୁ ପାଦ କାଢ଼ି ପୁଣି ଶଙ୍କିତ ପଦରେ ରୋଷେଇ ଘରେ ଯାଇ ପହଞ୍ଚିଲା । ନିଜର ତିନୋଟି ବଖରା ଭିତରୁ ସେ ଗୋଟାଏ ବଖରା । ସେ ଭିତରେ ମଧ୍ୟ ବାହାରର ଆଲୋକ କିଞ୍ଚିତ୍‌ ବିଞ୍ଚିହୋଇ ପଡ଼ିଛି; ମାତ୍ର କିଛି ଜିନିଷପତ୍ର ଥିବାର ଜଣାପଡୁନାହିଁ । ହାଣ୍ଡି-କୁଣ୍ଢେଇ, ବାସନ-କୁସନ ସବୁ ଶୂନ୍ୟ ! ଜଣାପଡ଼ୁଛି, ଘରଟା ବହୁ ଦିନରୁ ମୃତ ନିସ୍ତବ୍‌ଧ-ବହୁଦିନରୁ ସେ ଘରେ ଗୃହିଣୀର ସଞ୍ଚାର ନାହିଁ ।

 

ପ୍ରାଣପ୍ରିୟ ଘର ଖଣ୍ଡିକର ଏ ଅବସ୍ଥାଦେଖି ଶାରୀର ଦେହ-ମୁଣ୍ଡ ଜଡ଼ହୋଇ ଆସିଲା । ଅବଶ ହୋଇ ଚୁଲି ପାଖରେ ସେ ବସିପଡ଼ିଲା । ଭାବିଲା ତେବେ କ’ଣ ସେ ସତକୁ ସତ ଚାଲିଯାଇଛନ୍ତି ? ସଂସାରରେ ମୁହଁ ଟେକି ଆପଣାର ବୋଲି ଚାହିଁବାକୁ ଶାରୀର କ’ଣ ଆଉ କେହି ନାହିଁ ? ଖାଲି ଭଙ୍ଗା ଘରଖଣ୍ଡିକ ଦୀନ ଦରିଦ୍ର ବେଶରେ ପଡ଼ିରହିଛି ! ସେ ଏତେ ଦିନ ପରେ ଆସି ଦେଖିବ କ’ଣ ? ତାକୁ ଯେ ଦେଖିବ ସେ କହିବ-‘ଅଇଲା ହେଇଟି, ପିଲାଖାଈ ।’ ଉଃ, ଏପରି ଅବସ୍ଥାରେ ସେ କାହିଁକି ଅଇଲା ଘରକୁ ?

 

ଶାରୀ ଘରକୁ ଆସିଥିଲା ମୁକ୍ତି ପାଇବ, ଅନୁତାପ କରି ପ୍ରାୟଶ୍ଚିତ୍ତ କରିବ । ଏବେ ହେଲା କ’ଣ ? ସେହି ମଧୁର ଆଶା ଏବେ ତା ପକ୍ଷରେ ଭୀଷଣ ଅଭିଶାପ ହୋଇଉଠିଲା ! ସେହି ମୁକ୍ତିର କାମନା ଏବେ ତା ପ୍ରାଣକୁ ଶୂଳପରି ବାନ୍ଧିଲା-ତାକୁ ସଂସାରଟା ଭଲ ଲାଗିଲା ନାହିଁ, ଜୀଇରହିବାକୁ ସୁଖ ଲାଗିଲା ନାହିଁ । କାତର ଭାବରେ କାନ୍ଦ କାନ୍ଦହୋଇ ସେ କାହାକୁ ପ୍ରାର୍ଥନା କଲାପରି କହିଲା-‘‘ଉଃ ! ଟିକିଏ ଆଉ ଅପେକ୍ଷା କରି ପାରିଲ ନାହିଁ ? ଆଉ କିଛି ଦିନ ମୋ ପାଇଁ ବାଟ ଚାହିଁ ରହିପାରିଲ ନାହିଁ ? ତୁମର ସେବା କରିବା ପାଇଁ ଆଉ ମୁହୂର୍ତ୍ତେ ସୁଯୋଗ ଦେଲ ନାହିଁ-? ପ୍ରଭୁ ହେ, ଏ ପାପୀକି ଉଦ୍ଧାର କର, ଉଦ୍ଧାର କର ।’’

 

ଚାହୁଁ ଚାହୁଁ ତାର ସକଳ ଅଙ୍ଗ-ପ୍ରତ୍ୟଙ୍ଗରେ ଅବସାଦ ଘୋଟିଗଲା । ପାଟିରୁ କଥା ବାହାରିଲା ନାହିଁ । କ୍ଳାନ୍ତ ଭାବରେ ଆଖି ଦୁଇଟା ମୁଦି ସେ ସେହିଠି ପଡ଼ିରହିଲା । କାହା ପାଇଁ ସେ ଆସିଥିଲା ? ଘରେ ତ କାହାକୁ ଦେଖିଲା ନାହିଁ, କିଛି ତ ପାଇଲା ନାହିଁ !

 

ଏପରି ଅବସ୍ଥାରେ ପଡ଼ିଥିଲାବେଳେ ଘର ବାହାରେ କାହାର ମୃଦୁ ପାଦଶବ୍ଦ ଶୁଣାଗଲା-। ଏତେ ରାତିରେ ପୁଣି ସେ ଭୂତପୁରୀରେପାଦଶବ୍ଦ କାହାର ? ସତେ କ’ଣ ଭ୍ରମରା ଆସିଗଲା ? ଆସିଥିଲେ ତାହା ନରଦେହୀ ରୂପରେ କି ଭୂତ ପ୍ରେତ ରୂପରେ ? ଓଃ, ସେ ଯଦି ଭୂତ ବା ପ୍ରେତ ହୋଇଥାଏ...ଧୀରେ ଧୀରେ ସେ ମୁଣ୍ଡ ଟେକି ଚାହିଁଲା, କାହାକୁ ଦେଖିଲା ନାହିଁ ।

 

(୯)

 

ପାଦଶବ୍ଦ ଆହୁରି ନିକଟତର ହେଲାପରି ଜଣାଗଲା । କିଏ ଆସିଲା; ଧୀରେ ଧୀରେ ଆସି ପ୍ରଥମେ ଦାଣ୍ଡଘରେ, ତା’ପରେ ଶୋଇବା ଗମ୍ଭୀରିରେ ପାଦ ଦେଲା । ଶେଷରେ ରୋଷେଇଘର ଦୁଆରେ କାହାର ହାତ ବାଜିଲା । ଏ କି ଭ୍ରମରା ? -ନା, ପାରବ ବୁଢୀ କାହୁଁ ପୁଣି ବୁଲି ବୁଲି ଆସି ସେଠି ପହଞ୍ଚିଲା । ଘର ଭିତରେ ପଶିଲା ମାତ୍ରେ ପାରବ କହିଲା-‘‘ଶାରୀ, ଶାରୀ, ଶୁଣୁଚୁ ? ତତେସେଠି ଛାଡ଼ିଦେଇ ଘରକୁ ଗଲି । ହେଲେ ଇମିତି ଏକୁଟିଆ ଛାଡ଼ିଦେଇ ଯିବାକୁ ମନଟା କିଆଁ ମାନିଲା ନାହିଁ । ସେଇଥିପାଇଁ ତତେଖୋଜିଖୋଜି ଏଠାକୁ ଚାଲି ଆସିଲି । କ’ଣ କରୁଚୁ ? ବସିଚୁ ?’’

 

ଶାରୀର କଣ୍ଠ ବ୍ୟାକୁଳତାରେ ଥରିଉଠିଲା । କ’ଣ ବୋଲି ପଚାରିବ, ହଠାତ୍‌କଥା ନ ପାଇ ମୁହୂର୍ତ୍ତେ ତିନି ହୋଇ ରହିଲା । ତା’ପରେବଡ଼ ଅଧୀର ଭାବରେ ପଚାରିଲା-

 

‘‘ପାରବ, ପାରବ, ତ କହ...ସତ କରି କହ, ସତେ କ’ଣ ସେ ସଂସାରରୁ ଚାଲିଯାଇଛନ୍ତି-?’’

 

ପାରବ କଥାକୁ ବୁଝିପାରି ତିଆରିଲା ପରି କହିଲା-‘‘କ’ଣ କହିଲୁ ? କ’ଣ ତୁଣ୍ଡରେ ଧଇଲୁ ? ନ ବୁଝି ନ ଶୁଝି ଇମିତି କଥାଟା କିଆଁ ମନରେ ଭାବୁଚୁଲୋ ? କ’ଣ ହେଇଚି, ଜାଣିନୁ କ’ଣ ?’’

 

-‘‘ନା, କିଛି ଜାଣେନି ଲୋ ଭଉଣୀ, କିଛି ଜାଣେନି । ତୁ କ’ଣ ସତ କହୁଚୁ...!’’

 

ପାରବ କହିଲା, ‘‘ଭ୍ରମରା ପରା ଏଇ ପାଖ ଘରେ- ଏଇ ଘରକୁ ଲାଗି ଏଇ ସେଇ ଘରେ । ସେ ଏବେ ଶୋଇଥିବ । ଏତେ ରାତିରେ...’’

 

ଶାରୀର ବିସ୍ମୟ ଆହୁରି ବଢ଼ିଲା-‘‘ପାଖ ଘରେ ? ଘର କରି ? ସେ କ’ଣ ତାହାହେଲେ ବିଭା ହେଇ ... ’’

 

ତା ପାଟିରୁ କଥା ନ ସରୁଣୁ ପାରବ ମାଡ଼ିବସିଲା ପରି କହିଲା-‘‘ନା, ନା, ଖମାରୀ ଲାଗିଛି-। ସେମାନେ ବଡ଼ ମାଛ-ବେପାରୀ । ଗିରସ୍ତ ଭାରଯାଦିହେଁ । ଭ୍ରମରା ତାଙ୍କୁ ଏ ଜମିବାଡ଼ି ସବୁ ବିକି ଦେଇଛି । କଥା ହେଇଚି, ଏ ଜୀଇଥିଲାଯାକେ ସେମାନେ ୟାକୁ ପୋଷିବେ । ବୁଢ଼ାର ଆଉ ଚିନ୍ତା ନାଇଁ...’’

 

-‘‘ସତ କହୁଚ, ସତରେ ଏ ଘରଦ୍ୱାର ସବୁ ବିକାସରିଚି ?’’

 

ଏତିକି କହି ଶାରୀ ପାରବଆଗକୁ ଉଠିଆସିଲା ପରି ହେଲା । ଶୋଇବା ଜାଗାରୁ ସେ ଉଠି ବସିଥିଲା । ଏ କଥା ଶୁଣି ହୃଦୟ ତାର ଭାଜିପଡ଼ିଲା । ତା ଆଖିରୁ ଡବଡବ ଲୁହ ବୋହିପଡ଼ି ପାରବର ହାତରେ ପଡ଼ିଲା । ଛାତି ଭିତରୁ ଘନଘନ ଦୀର୍ଘ ନିଶ୍ୱାସ ଉଠିଲା । ବୁକୁଟାକୁ ଚିପିଧରି ଆଉ ସେ କଥା କହିପାରିଲା ନାହିଁ ।

 

ପାରବ ତାକୁ ବୁଝାଇଲା ପରି କହିଲା-‘‘ଶାରୀ, ମୁଁ ଜାଣିଥିଲି, ତୁ ସବୁ କଥା ଆଗରୁ ଜାଣିଚୁ ବୋଲି- କିଛି ହେଲେ ଜାଣିନୁ ? ହଉ, ହଉ, ଏବେ ତ ଜାଣିଲୁ । ଦିହେଁଯାକ ଏକାଠି ରହିପାରିବ ଯେ । ତୁ ସତେ ସତ କରିଚୁ-ବୁଢ଼ା ଆଉ ଏ ଦିନେ ବାହାଚୁଡ଼ା ହୁଅନ୍ତା ?’’

 

-‘‘ପର ଘରେ ମୁଁ ରହିବି ? କ’ଣ କହୁଛୁ ପାରବ ! ଆମର ଆଉ ଘର ନାଇଁ ? ପାରବ...ପାରବ... !’’

 

ଏ କଥା କହିଲାବେଳେ ଜାଡ଼ରେ ଥରିଲା ପରି ସେ ଖାଲି ଠକର-ଠକର ଥରୁଥିଲା । ଏଇ କେତେ ମୁହୂର୍ତ୍ତ ମଧ୍ୟରେ ତାର ସକଳ କଳ୍ପନା-ଜଳ୍ପନା, ସକଳ ସ୍ୱପ୍ନ ଏକାବେଳକେ ଓଲଟପାଲଟ ହୋଇ ପଡ଼ିଲା । କେତେ ସ୍ୱପ୍ନ ସେ ଦେଖିଥିଲା-ଘରକୁ ଫେରିବ, ନୂତନ ଜୀବନ କଟେଇବ, ସୁଖରେ ରହିବ...କାହିଁ ? ମୁହୂର୍ତ୍ତକେ ସବୁ ଧୂମରାଶି ପରି କୁଆଡ଼େ ମିଳେଇଗଲା । ଉଠି ଠିଆ ହୋଇ ସେ କେବଳ ଏ ପାଖ ସେ ପାଖ ହେଲା, ଉପରକୁ ଚାହିଁଲା, ତଳକୁ ମୁହଁ ପୋତିଲା- ତାକୁ ସତେ ବା ଦିଗ-ବିଦିଗ କିଛି ଦେଖାଗଲା ନାହିଁ । ବୁକୁ ଭିତରେ ଖାଲି ତୁମୁଳ ଝଞ୍ଜାର ନୃତ୍ୟ ଆରମ୍ଭ ହେଲା ।

 

ପାରବ ଏ ଅବସ୍ଥା ଦେଖି ହଠାତ୍‌ ବେଶୀ କିଛି କହିପାରିଲା ନାହିଁ । ତା ଦେହରେ ହାତ ବୁଲେଇ ବୁଲେଇ କୋମଳ ଭାବରେ କହିଲା-‘‘ତୁ ଇମିତି ହେଲେ ଚଳିତବ କି, ଶାରୀ ! ଜାଣୁ ତ, ସେ କେଡ଼େ ଗରିବ । ପାଇଟିପତ୍ରକୁ ପାରେନାହିଁ । ପର ଘରେ ଇମିତି ନ ରହିବା ଛଡ଼ା ତାର ଆଉ ଗତି କ’ଣ ଥିଲା ? ଆଉରି ମଧ୍ୟ ସିଏ କ’ଣ, ଆମେ କିଏ ହେଲେ ବିଚାରି ନ ଥିଲୁ ଯେ ତୁ ଇମିତି ଦିନେ ଫେରିବୁ ।

 

ଶାରୀ କାନ୍ଦ କାନ୍ଦହୋଇ କହିଲା-‘‘ପାରବ, ମୋବୋଲ କରି ଟିକିଏ ଯାଇ ତାଙ୍କୁ ଏଠାକୁ ଡାକି ଆଣି ପାରିବୁ ?’’

 

-‘‘ଏଠାକୁ ? ଏଇ ଘରକୁ ? ଆଚ୍ଛା, ତୁ ସେଠାକୁ ଗଲେ କ’ଣ ଭଲ ହୁଅନ୍ତା ନାଇଁ ? ଶୀତରେ ତୋ ଦେହ ଜଡ଼ ହୋଇଗଲାଣି; ଏ ଭଙ୍ଗା ଘରେ ରାତିରେ ବା କିମିତି ରହିବୁ ? ଚାଲ, ସେଠି ରାତିକି କଟେଇଲା ପରେ ଯାହା ହେଲେ ବିଚାର । ରାତି ତ ଅଧକୁ ଗଡ଼ିଗଲାଣି । ତୁ ସେଇଠାକୁ ଗଲେ ଅସୁବିଧା କ’ଣ ?’’

 

ଶାରୀ ସେହି ଏକା ଜିଦ୍‌ଧଇଲା ପରି କହିଲା-‘‘ତୁ ଯାଇ ତାଙ୍କୁ ଏଠାକୁ ଡାକି ଆଣିବୁ କି ନାହିଁ, ଆଗ କହ । ପ୍ରହୁଙ୍କଦ୍ୱାହି, ମୋ ପ୍ରାଣ ଥିଲାଯାକେ ପରଦ୍ୱାରେ ମୁଣ୍ଡ ଗୁଞ୍ଜି ଠିଆହେବି ନାହିଁ ।’’

 

ପାରବ ଶେଷକୁ ବାଧ୍ୟ ହୋଇ କହିଲା-‘‘ହଉ, ନାହିଁ କରୁଚୁ ବୋଇଲେ ଆଉ କ’ଣ କହିବି-? ସେ ଯେବେ ନାହିଁ କରେ...ଘରେ ଶୋଇଥିବ ସେ ! କ’ଣ ବୋଲି ଡାକିବି । ହଉ-ପ୍ରହୁ ହେ...’’

 

ପାରବର କ୍ଷୀଣ ପଦଶବ୍ଦ କୁଟୀର ଦୁଆରେ ଲୀନ ହୋଇଗଲା । ଏଣେ ଶାରୀ ଯେଉଁଠି ବସିଥିଲା, ସେହିଠି କାଦୁଅ ମେଞ୍ଚା ପରି ଲାଗିରହିଲା । ଦୁଆର ଆଉ ପଞ୍ଜରବାଟେ ଉତ୍ତରା ଥଣ୍ଡା ପବନ କିଲିକିଲି ହୋଇ ଘର ଭିତରକୁ ପଶିଆସୁଥିଲା । ସେଥିପ୍ରତି ତାର ଦୃଷ୍ଟି ନ ଥିଲା । ସେ ଯେ ଗୋଟାକଯାକ ଥରୁଛି, ସେ କଥା ସେ ନିଜେ ଜାଣି ପାରୁ ନ ଥିଲା । ଜାଣିବ କିମିତି ? ସେ ପରା ଏତେ ଦିନ ପରେ ଘରକୁ ଫେରିଆସିଛି । ତାର ପୁରୁଣା ପ୍ରିୟ ସ୍ୱର୍ଗଭୂମିରେ ଆସି ପହଞ୍ଚିଛି ! ଓଃ, କି ନୂତନ ଜୀବନ- ନୂତନ ଜଗତ- ଆଉ ନୁହେଁ କ’ଣ ତାର ?

***

 

(୧୦)

 

ଖଣ୍ଡେ କ୍ଷୁଦ୍ର ପଡ଼ିଆ ପାର ହେଲେ ମାଛ ବେପାରୀଙ୍କ ଘର । ସେ ଘରେ ବାବୁ ଓ ବାବୁଆଣୀ ଗଭୀର ନିଦ୍ରାରେ ଅଭିଭୂତ । ଘରଦ୍ୱାର ନିସ୍ତବ୍‌ଧ । କେବଳ ଟିଣ ଚାଳରୁ ଆଉ ଗଛପତ୍ର ଦେହରୁ ଥପଥପ କାକରଟୋପା ଖସି ଯାହା ସାମାନ୍ୟ ଟିପ୍‌ଟିପ୍‌ ଶବ୍ଦ ଶୁଭୁଛି ।

 

ଯେତେବେଳେ ସେହି ଘରର ଫାଟକ ଦ୍ୱାର ପାଖେ ଶବ୍ଦ କରି ଜଣେ କିଏ ଘର ଭିତରକୁ ପଶିଗଲା, ଘର ଭିତରେ ଶୋଇଥିବା ଲୋକଙ୍କର ନିଦ ଭାଜିଲା । ଲୋକକୁ ଚିହ୍ନିପାରି ବାବୁ ପଚାରିଲେ-‘‘କିଏ ? ପାରବ ? ଏତେ ରାତିରେ କୁଆଡ଼େ ? କଥା କ’ଣ କି ? କିଛି ବିପଦ ପଡ଼ି ନାଇଁ ତ ?’’

 

ପାରବ କହିଲା, ‘‘ନାଇଁ, ବାବୁ, କିଛି ନୁହେଁ । ଆସିଛି ଭ୍ରମରା ବୁଢ଼ା ସାଙ୍ଗେ ଦି’ପଦ କଥା ହେବି ବୋଲି ।... ମୋ ବାପ ଲୋ... କି ଅନ୍ଧାର, କି ଶୀତ....।’’

 

ଏତିକି ଜବାବ ଦେଇ ବୃଦ୍ଧା ଘର ଭିତରକୁ ଗଲା । ଭ୍ରମରା ପେନ୍‌ସନ୍‌ ପାଇଲା ପରି ବାବୁଙ୍କ ଘରର ଏକ ଛୋଟିଆ ବଖରାରେ ଥାଏ । ସେହିଠାରେ ସେ ଶୋଇଥିଲା । ପାରବର ଡାକ ଶୁଣି ଆସି ଦୁଆର ଫିଟେଇଲା । ଏଣେ ଘରର ବାବୁ ଓ ବାବୁଆଣି ଏତେ ରାତିରେ ଭ୍ରମରା ସଙ୍ଗେ ପାରବର କି କଥାବାର୍ତ୍ତା ଚାଲିବ ଶୁଣିବା ପାଇଁ ଘର ଭିତରେ ଉତ୍‌କର୍ଣ୍ଣ ଭାବରେ ଚାହିଁରହିଲେ ।

 

ପାରବକଥ ଶୁଣି ବୁଢ଼ାକୁ ସ୍ୱପ୍ନ ଦେଖିଲା ପରି ଲାଗିଲା । ତା’ପରେ ଯେତେବେଳେ ସେ ପାରବକୁ ସାଙ୍ଗରେ ଧରି ବାହାରକୁ ଯିବାକୁ ବାହାରିଲା, ବାବୁ ପଚାରିଲା-‘‘କଥା କ’ଣ କି ଭ୍ରମରା-?’’

 

-‘‘ଶାରୀ ଆସିଛି ଘରକୁ !’’

 

-‘‘ଏଇଠାକୁ ?’’

 

-‘‘ହଁ, ସେଇ ପୁରୁଣା ଘରେ ଏବେ ଅଛି । ମତେ ଡକେଇଚି ।’’

 

ଏତିକି କହି ଭ୍ରମରା ପଦାକୁ ବାହାରିପଡ଼ିଲା । ସେହି ବୃଦ୍ଧ-ବୃଦ୍ଧାଙ୍କ ପଦଶବ୍ଦ ଦୂରରୁ ଦୁରରେ ମିଶିଗଲା ପର୍ଯ୍ୟନ୍ତ ଏଣେ ଘର ଭିତରେ ଏ ତରୁଣ ଦମ୍ପତି ଆଶ୍ଚର୍ଯ୍ୟରେ କେବଳ ପରସ୍ପରକୁ ଚାହିଁ ରହିଲେ । କୁହାକୁହି ହେଲେ-

 

‘ଶାରୀ ଆସିଛି । ସେ ଡାହାଣୀ, ସେ ଭୂତ । ପିଲାଦିନେ ତାହାରି ଗପ କେତେ ଶୁଣାଯାଇଛି । ନିଶାଚରୀ ସେ, ପ୍ରେତ ସେ, କେବଳ ମାଇପି ରୂପରେ ଜନ୍ମ ହୋଇ ଭ୍ରମରାକୁ ବିଭା ହୋଇଥିଲା । ଦିନକେ ସେ ଗାଁରୁ ଗୋଟିଏ ଲେଖାଏଁ ପିଲା ଖାଏ’-ଇତ୍ୟାଦି କେତେ କଥା । ‘ସେ ପୁଣି ଆସି ଘରେ ପହଞ୍ଚିଛି । ସେ କି ଏଠି ରହିବ ବୋଲି ବିଚାରିଛ ? ବୁଢ଼ାକୁ ପୋଷିଲା ପରି ତାକୁ କ’ଣ ପୋଷିବାକୁ ହେବ ? ଏ ଜମିକିଣା ସର୍ତ୍ତରେ ଏପରି କ’ଣ କିଛି ଲେଖା ଅଛି ? ନା, ଏପରି ତ କିଛି ନାହିଁ । ବୁଢ଼ା ଜୀଇଥିଲାଯାକେ ଘରେ ରହିବ; ମାତ୍ର ଶାରୀ କଥା ତ ସେତେବେଳେ ଉଠି ନାହିଁ-।’

 

ଶେଷରେ ଦିହେଁ ଠିକ୍‌ କଲେ-‘‘କେଭେଁ ନୁହେଁ, କେଭେଁ ନୁହେଁ । ଶାରୀକୁ କେଭେଁ; ହେଲେ ଆମ ଘରେ ଥାନ ଦେବା ନାହିଁ ।’’

 

-‘‘ମାତ୍ର କରାଯାଏ କ’ଣ ? ସେ ତ ଆସି ଏବେ ତାର ସେହି ପୁରୁଣା ଘରେ ଆସନ ପକେଇ ବସିଲାଣି । ତା ପାଖକୁ ଯାଇ ତାକୁ ତଡ଼ିବ କିଏ ?’’

 

ଭାବି ଭାବି ବାବୁ କି ବାବୁଆଣୀଙ୍କ ଆଖିକୁ ଆଉ ନିଦ ଆସିଲା ନାହିଁ । ଶାରୀ ଯେ ରାତିଅଧ ନ ମାନି କେତେବେଳେ ଆସି ତାଙ୍କରି ଦୁଆରେ ପହଞ୍ଚିଯିବ- ଏ ଭୂତଭୟରେ ସେମାନେ ସାଙ୍କୁଡ଼ି ପଡ଼ିଲେ । ଭାବିଲେ, ଆସିଲେ ତାକୁ ରାତିଏ ମାତ୍ର ଥାନ ଦେବେ । ତା ପରେ, ରାତି ପାଇଲେ ଆଉ ନୁହେଁ, ଆଉ ଦିନେ ସୁଦ୍ଧା ନୁହେଁ- କେଭେଁ ନୁହେଁ ।

 

କ୍ରମେ ଆକାଶରୁ ଧୂମ୍ର କୁହେଳିକା ଅପସାରିତ ହୋଇଆସିଲା । ଚନ୍ଦ୍ରାଲୋକ ଟିକିଏ ଉଜ୍ଜ୍ୱଳ ଦେଖାଗଲା । ସେହି ଆଲୋକରେ ଚିଲିକାକୂଳରେ ଏହି ଛୋଟ ବସ୍ତଟି ବେଶ୍‌ ବାରିହେଲା । ଉତ୍ତରା ପବନର ତୀବ୍ର ବେଗ ଟିକିଏ ଥମି ଆସିଲା । ସବୁ ହେଲା ସତ; ମାତ୍ର ଚିଲିକାର ଅଧୀର ବୁକୁତଳର କଳକଳ ଲହରୀ-ନାଦ ଆଉ ବନ୍ଦ ହେଲା ନାହିଁ । କେଉଁ ଦୂର ଗହ୍ୱର ଭିତରର କଳକଳ ଗୋପନ ବାଜଣା ପରି ତାହା ଜଣାପଡ଼ିଲା ।

***

 

(୧୧)

 

ବନ୍ଧୁହୀନ ବୃଦ୍ଧ ଭ୍ରମରା ପିଲାଦିନୁ ପରିଚିତା ବୃଦ୍ଧା ପାରବ ସଙ୍ଗେ ଧୀରେ ଧୀରେ ତାର ସେହି ପୁରୁଣା ଛୋଟ କୁଟୀର ଆଡ଼କୁ ଚାଲିଲା । ହାତରେ ଦୀପଟିଏ ସୁଦ୍ଧା ନଥିଲା, ମନରେ ଆନନ୍ଦ ଲେଶମାତ୍ର ନ ଥିଲା । କେବଳ ଶିଶିରାକ୍ତ ଜ୍ୟୋସ୍ନାଧାରା କ୍ଷୀଣ ଭାବରେ ସେ ଦୁହିଁଙ୍କୁ ପଥ ଦେଖାଉଥିଲା ମାତ୍ର ।

 

ପାଦ ଚାଳିଲା ବେଳେ ସହସ୍ର ଭାବନାରେ ଭ୍ରମରାର ହୃଦୟ ଆନ୍ଦୋଳିତହୋଇ ଉଠୁଥିଲା- କେବଳ ସେ ବାଧ୍ୟ ହୋଇ ଛନ୍ଦି ହେଲା ପରି ଆଗକୁ ଚାଲୁଥିଲା । ଶାରୀ ଯେ ଆଉ ଏପରି ଫେରିଆସିବ, ଫେରିଆସି ପୁଣି ତାକୁ ସ୍ୱାମୀବୋଲି କରି ବସିବ, ଏ କଳ୍ପନା ତାର ଅନେକ ଦିନୁ ଲୋପ ପାଇଥିଲା । ଏ କଥା ଶତ ସ୍ୱପ୍ନରେ ସୁଦ୍ଧା ସେ କଳ୍ପନା କରି ନଥିଲା । ତା ପକ୍ଷରେ ସେ ଏ ସଂସାରରୁ ଅନ୍ୟ ଏକ ସଂସାରକୁ ଯାଇଥିଲା; ଆଜୀବନ ବନ୍ଦିନୀ ହୋଇ କାରାଗାରରେ ସଢୁଥିଲା । ଏପରି ଅନାହୂତ ଭାବେ ଆସି ସେ ସ୍ୱପ୍ନବତ୍‌ଦେଖାଦେବ, ଏ କଥା ଆଗରୁ ଭାବିଥିଲେ ଭ୍ରମରାକୁ ସେଥିପାଇଁ ପ୍ରସ୍ତୁତ ହେବାକୁ ହୋଇଥାନ୍ତା । ଗତ କେତେ ବର୍ଷ ହେଲା ଶାରୀର କଥା ଭୁଲିଯାଇ ସେ ନିଜକୁ ରାଣ୍ଡୁରା ବୋଊିଘୋଷଣା କରିଥିଲା । ମାତ୍ର ପୁଣି ଏ କ’ଣ ? ପୁଣି ସେ ଆସି ଘର ଅଧିକାର କରି ବସିଛି; କାଲିକି ହୁଏତ ହୃଦୟ ଅଧିକାର କରିବାକୁ ଦାବି କରିବ ! କେତେ ସହସ୍ର ପୂର୍ବ-ସ୍ମୃତି ଯେ ତାର ମାନସ-ପଟରେ ସିନେମା ଚିତ୍ର ପରି ଫୁଟିଉଠିଲା, ସୀମା ନାହିଁ । ଶାରୀ ଗଲାପରେଘରେ ତାର ଶାନ୍ତି ଥିଲା, ମନରେ ମଧ୍ୟ ଶାନ୍ତି ଥିଲା,ତାକୁ ଆଉ ଗାଳିଦେବା ପାଇଁ କିଏ ନ ଥିଲେ । ସେ ଏଠି କେତେ ଦିନ ଜୀବନରେ ବେ-ପରୁଆ ସୁଖୀ ଥିଲା, କହିଲେ ଚଳେ । ଏତେଦିନ ପରେ ପୁଣି ସେ ଆସିଲା ! ଭଗବାନ ! ସେ କରେ କ’ଣ ?

 

ଭ୍ରମରା କ୍ରମେ ପାଦର ଗତି ଶିଥଳ କରି, ଦୀର୍ଘଶ୍ୱାସ ଛାଡ଼ିଛାଡ଼ି ମୁକ୍ତି ପାଇଁ ଚାରିଆଡ଼କୁଚାହଁଲା । କୁଆଡ଼େ ଗଲେ ସେ ରକ୍ଷା ପାଇବ ? ଯେଉଁ ଘରେ ସେ ଶତଶତ ଦୁର୍ବ୍ୟବହାର ପାଇଆସିଥିଲା; ଯେଉଁଠି କି ସେହି ଘୋର ଶିଶୁହତ୍ୟା ଘଟିଥିଲା, ସେ ଘରେ ସେ ମୁହୂର୍ତ୍ତେ ଖଣ୍ଡେ ରହିବା ଆଦୌ ଉଚିତ ମନେ କଲା ନାହିଁ । କେବେ ଅନ୍ଧାର ରାତିରେ ସେହି ପୁରୁଣା କୁଡ଼ିଆରେ ସେ କେତେଥର ଭୂତ ଦେଖିଥିଲା; ଆଜି ମଧ୍ୟ ଦେଖିଲା । ଘର ତାକୁ ଧକ୍‌କାମାଇଲା; ଦ୍ୱାରଗୁଡ଼ିକ ବିରାଟ ମୁଖ ମେଲା କରି ତାକୁ ଗିଳିଦେବା ପାଇଁ ଠିଆ ହୋଇ ରହିଲେ । ଏପରି ଘରେ ପୁଣି ଆଜି ଶାରୀ ନୂତନ ସଂସାର ଗଢ଼ି ରହିବା ପାଇଁ ହାଜର ! ସତେ କ’ଣ ସେ ମଶାଣି ଭିତରୁ ଉଠିଲା ? ଓହୋ, ମଶାଣି ଭିତରୁ ଉଠି ଆସି ସେହିଠାରେ ବସିଛି, ବସି ବସି ଅପେକ୍ଷା କରିଛି ! ଭଗବାନ ! ଭ୍ରମରା ଖାଲି ସ୍ୱପ୍ନ ଦେଖିଲା ! ଲୋକେଶୋଇ କରି ସ୍ୱପ୍ନ ଦେଖନ୍ତି; ଭ୍ରମରା ଚାଲି ଚାଲିସ୍ୱପ୍ନ ଦେଖିଲା !

 

ବାଟ ଶେଷରେ, ସେହି ପୁରୁଣା ଘର ପାଖରେ ପାରବ ଭ୍ରମରାକୁ ଛାଡ଼ିଦେଇ ତା ନିଜ ଘରକୁ ଚାଲିଗଲା । ସେ ଭାବିଲା, ଗିରସ୍ତ ଭାରିଯା ଦିହିଙ୍କର ଯେତେବେଳେ ଏତେଦିନ ପରେ ଦେଖାସାକ୍ଷାତ ହେବ, ତାଙ୍କ ପାଖରେ ଆଉ ଜଣେ ଯାଇ ଠିଆ ହେବା ଉଚିତ ହେବ ନାହିଁ । ତେଣୁ ସେ ବାଟ କାଟି ଆଡ଼େଇ ହୋଇଗଲା ।

 

ସେ ସିନା ଚାଲିଗଲା; ମାତ୍ର ଭ୍ରମରାର ଅବସ୍ଥା ହେଲା କ’ଣ ? ବରଡ଼ାପତ୍ର ପରି ତା ଦିହଟା ଥରିଲା । ଶଙ୍କିତ ଚିତ୍ତରେ ସେ ଯାଇ ଦୁଆର ଫିଟାଇଲା । ଦେଖିଲା, ପ୍ରଥମ ଘରଟା ଖାଲି ପଡ଼ିଛି । କାନ୍ଥ-ବାଡ଼ଆଡ଼କୁ ଚାହିଁଲା । ଭୟ ହେଲା । କାହିଁ ସେ ? ଭୂତ ପରି କ’ଣ ଏ ଭୂଇଁ ବିଦାରି ଉଠି ଠିଆହେବ ? ଡାହାଣୀ ପରି ସେ କ’ଣ ଚୁଲି ଭିତରୁ ବାହାରିଆସିମାଡ଼ିବସିବ ? କାହାକୁ ଦେଖିବାକୁ ନ ପାଇ, ଭୟରୁ ଆତ୍ମରକ୍ଷା କରିବା ପାଇଁ ଏବଂ ପରକୁ ନିଜର ଉପସ୍ଥିତି ଜଣାଇବା ପାଇଁ ସେ ଖାଲି ଖୁଁଖୁଁହୋଇ କାଶିବାରେ ଲାଗିଲା । ପଚାରିଲା - ‘‘ଭିତରେ କିଏ ଅଛ ?’’

 

ନିସ୍ତବ୍‌ଧ ନୈଶଗଗନତଳେ, ସେହି ନିକାଞ୍ଚନ ଘରେ କେବଳ ଏହି କେତୋଟି ଶବ୍ଦର ପ୍ରତିଧ୍ୱନି ମାତ୍ର ଶୁଣାଗଲା । ୟା ଛଡ଼ା ଆଉ କେହି କିଛି ଉତ୍ତର ଦେଲେ ନାହିଁ । ଆସ୍ତେ ଆସ୍ତେ ସେ ଦାଣ୍ଡଘର ଡେଇଁ ହାଣ୍ଡିଶାଳ ଆଡ଼କୁ ଚାଲିଲା । ମାତ୍ର ପଛପଟେ କି ଏକ ଗୁରୁତର ଘଟଣା ଘଟିଯିବ, ଏ ଭୟ ପ୍ରତିମୁହୂର୍ତ୍ତରେ ରହିଥିଲା । କିଏ ଆସି ଆଗରେ ଠିଆ ହୋଇଯିବ ପରା ! କିଏ ଆସି ହାତଟାକୁ ଟାଣି ଧରିଦେବ ପରା ! ବଡ଼ କଷ୍ଟରେ ଦୁଆରେ ଠିଆ ହୋଇ ପ୍ରଥମେ କବାଟ ଫିଟାଇଲା-। ତା’ପରେ ଟିକିଏ ଲଇଁ ରହି ଭିତରକୁ ଚାହିଁଲା । କିଛି ସମୟ ନିରେଖି ଚାହିଁଲା ପରେ ଦେଖିଲା, ଚୁଲିମୁଣ୍ଡ ପାଖେ ଗୋଟାଏ କ’ଣ ଛାୟା ଦିଶୁଛି ।

 

ଭ୍ରମରା ପ୍ରଥମେ କାଶିଲା, ପରେ ଡାକିଲା; ମାତ୍ର ସେ ଛାୟା ଛବିଟା ହଲଚଲ ହେଲା ନାହିଁ । ସେତେବେଳେ ସେ ମନେ ମନେ ଭାବୁଥିଲା, ବାଟ ମିଳନ୍ତା, କି କିମିତି ସେ କୁଆଡ଼େ ଧାଇଁ ଚାଲିଯାନ୍ତା ! ତେବେକେ ଯାଇ ରକ୍ଷା ମିଳନ୍ତା !

 

ଚାହିଁଲା - ଆଉ ଅଧିକା ପାଦେ ପକାଇ ଚାହିଁଲା । ଦିଶିଲା - ଜଣକର ମୁହଁଟିଏ ଖାଲି ଦିଶିଲା । ଭାବିଲା ଦୁଇଟି ଆଖି ଥିବ, ସେହି ଆଖି ଦୁଇଟି ଠିକ୍‌ଶାରୀ ଆଖି ପରି ଚକ୍‌ଚକ୍‌ଦିଶୁଥିବ । ନାକଟା ଖୁବ୍‌ତୀକ୍ଷ୍ଣ, ଓଠଟା ଖୁବ୍‌ମୋଟା. . . . ସତେ ତାର ସବୁ ସେହି ପରିଚିତ ସେଠି ଥିବ ? ତାର ଦେହ ଥରିଲା ।

 

(୧୨)

 

ଭ୍ରମରା ଭାବୁ ଭାବୁ ଡାକି ପକାଇଲା ‘‘କିଏ . . . ?’’

 

ଆଗକୁ ଆଉ ପାଦ ପକାଇବାକୁ ସାହସ ହେଲା ନାହଁ । ତାର ଏ ପ୍ରଶ୍ନର ଉତ୍ତର ଆସିବା ପାଇଁ ମୁହୂର୍ତ୍ତେ ଖଣ୍ଡେ ବିଳମ୍ବ ହେଲା । ତା ପରେ ଶବ୍ଦ ଶୁଭିଲା- ‘‘ହଁ, ମୁଁ ସିନା . . . ’’

 

ପୁଣି ମୁହୂର୍ତ୍ତେ ନୀରବତା ଘୋଟିଗଲା । ଘରଟା କେବଳ ଶୂନ୍ୟରେ ସାଇଁସାଇଁ ହେଲା । ଦିହେଁ ଦିହିଙ୍କର ଶ୍ୱାସ, ପ୍ରଶ୍ୱାସ କ୍ରିୟାର ଶବ୍ଦ ବାରିପାରିଲେ ।

 

ପୁଣି ଶୁଭିଲା - ‘‘ହଁ, ମୁଁ ସିନା. . .’’ ଏତିକି କହି ଶାରୀ ଠିଆ ହୋଇ ପଡ଼ିଲା । ତା’ପରେ ତାର ସେହି ଦୁର୍ବଳ ହାତ ଦି’ଟା ଭ୍ରମରା ଆଡ଼କୁବଢ଼ାଇ ଦେଲା । ଭ୍ରମରା ସେ ହାତକୁ ସେତେବେଳେ ଧରିବା ଛଡ଼ା ଅନ୍ୟ ଉପାୟ ନଥିଲା । ଧରି କହିଲା - ‘‘ଶାରୀ ! ଶାରୀ ! ଆସିଲ ଆଜି ? . . . ’’

 

ତାର କଣ୍ଠରୋଧ ହେଲା ପରି ସ୍ୱର ଆଉ ବାହାରିଲା ନାହିଁ । ଯେତେ ବର୍ଷ ବ୍ୟବଧାନ ହେଲେ ମଧ୍ୟ ସେ ତ ପୁଣି ଦିନେ ସ୍ତ୍ରୀ-ପୁରୁଷ ଥିଲେ । ଜଣେ ତ ପୁଣି ଜଣଙ୍କର ଜୀବନର ଅଧେ ଥିଲା । ଏପରି ଘଟଣାରେ ଏତେ ଦିନ ପରେ ମିଳନ ହେଲାପରେ ସହଜରେ କଥା ବାହାରନ୍ତା କିପରି ? ଦଶ ବର୍ଷର ବ୍ୟଥା କି କଣ୍ଠ ପାଖେ ଅଟକି ରହି ନ ପାରେ ? ଲୋକକୁ କି ନର୍ବାକ୍‌ମୂକ କରି ନ ପାରେ ? ଲୋକକୁ କି ପାଗଳ ଲକ୍ଷ୍ମୀଛଡ଼ା କରି ନ ପାରେ ?

 

ଅନେକ ସମୟ ପରେ ଶାରୀ ପଚାରିଲା ‘‘କ’ଣ, ଭଲ ସବୁ . . . ?’’

 

-‘‘ହଁ, ସବୁ ଦିନପରି ଚାଲିଛି । ତମର ?’’

 

ଭ୍ରମରା ମନରେ ଏ ପର୍ଯ୍ୟନ୍ତ ଭ୍ରାନ୍ତି ଖେଳୁଥିଲା । ସେହି ହେତୁରୁ ସେ ଦୂରେଇ ହୋଇଠିଆହୋଇଥିଲା । ଶାରୀ କହିଲା - ‘‘ଭଲ ମନ୍ଦ ଆଉ କ’ଣ ? ଆଜି ତ ଆସି ଏଇଠି ପହଞ୍ଚିଲି . . .’’

 

-‘‘ହଁ, ଜାଣି କରି ତ ଆସିଲ । ମାତ୍ର ଏଠାକୁ ଆସିବା ଆଗରୁ ଗାଁ ଲୋକଙ୍କୁ କହି ଆସିଥିଲେ ଭଲ ହୋଇଥାନ୍ତା ।’’

 

ଏ କଥା ଶୁଣି ଶାରୀର ବୁକୁରୁ ଦମକାଏ ରକ୍ତ ଖସି ପଡ଼ିଲା ପରି ହେଲା । ଭ୍ରମରା ମୁହଁରେ ପୁଣି ଏ କି କଥା ? ଗାଁ ଲୋକଙ୍କୁ ପଚାରିନାହିଁ ବୋଲି କ’ଣ ସେ ଫେରିଯିବ ? ଘରେ ଗୋଡ଼ ଦେଉଁ ନଦେଉଁ ତାକୁ ଏକଥା ଶୁଣିବାକୁ ହେଲା । ସେ ସମ୍ଭାଳି ନ ପାରି କହିଲା - ‘‘ତମେ ଯେବେ ଅଛ, ମୋର ଗାଁ ଲୋକଙ୍କ ପାଖକୁ ଯିବା ଦରକାର କ’ଣ ? ଆମେ ତ ଏଠି ରହି . . .’’

 

-‘‘ଏଠି ଅସମ୍ଭବ, ଅସମ୍ଭବ !’’

 

ଶାରୀ ଟିକିଏ ତେଜିଉଠିଲା ପରି କହିଲା - ‘‘ଅସମ୍ଭବ ? ଏ ଘର ତ ଆମର ? ନା ନୁହେଁ ? ଆମ ଘରେ ଆମେ ରହିବାକୁ କାହାକୁ ପଚାରିବା କାହିଁକି ?’’

 

-‘‘ଏଠି ? ଆଉ ନୂଆ ଘରଦ୍ୱାର ? ଯାଃ, କଥା କ’ଣ ହେଇଚି ଜାଣିନ ପରା ’’

 

ଶାରୀ ଆଉ ସମ୍ଭାଳି ପାରିଲା ନାହିଁ । ବିକଳ ସ୍ୱରରେ ଅନୁନୟ କରି କହିଲା - ‘‘ମୋର ତମେ ସବୁ, ତମେ ମତେ ଆଉ ନାହିଁ କରନି, ନାହିଁ କରନି । ନିଶ୍ଚେ ଆମେ ନୂଆ କରି ଘରଦ୍ୱାର କରିବା, ଏହିଠାରେ ରହିବା; ଆଉ କୁଆଡ଼େ ଯିବା ନାହିଁ । ମତେ ନାଇଁ କଲେ ମୁଁ କି . . .’’

 

-‘‘ଶାରୀ, ଏ କଥା ତ କେଭେଁ ହୋଇ ପାରିବନି ଦେଖୁଚି ।’’

 

-‘‘ତମେ ଆଉ ଇମିତି ନିଠୁର ହୁଅନି, ନିର୍ଦ୍ଦୟ ହୁଅନି ମୋଠେଇଁ । ମୁଁ ବହୁତ ଦୋଷ, ବହୁତ ପାପ କରିଥିଲି । ଏବେ ସେ ସବୁର ପ୍ରାୟଶ୍ଚିତ୍ତ ପାଇଁ ମତେ ଟିକିଏ ତମ ପାଦତଳେ ଥାନ ଦିଅ - ଏଠି ରହି ଆମେ ଦିହେଁ ଏଣିକି ସୁଖରେ ଶାନ୍ତିରେ ଚଳିବା । ମତେ ସିମିତି କହିଲେ ଏ ବୁକୁ ମୋର ଫାଟିଯିବ, ଫାଟିଯିବ . . .’’

 

ଭ୍ରମରା ଆଗରୁ କଳ୍ପନା ସୁଦ୍ଧା କରି ନ ଥିଲା ଯେ ଦଶ ବର୍ଷ ପରେ ଶାରୀ ଫେରି ଆସିଲା ପରେ ତାର ସ୍ୱର ଏତେ କରୁଣ, ଏତେ ସରଳ ହୋଇଥିବ; ତା ଆଖିରେ ଏତେ ଲୁହ ଡବଡବ ହେଉଥିବ । କଥାରୁ ଜଣା ପଡ଼ୁଥିଲା, ଅନ୍ଧାରରେ ସେ ଯେପରି କାନ୍ଦି କାନ୍ଦି ଭୂଇଁ ଓଦା କରି ପକାଉଛି । କହିଲା - ‘‘ତୁ କେବଳ ତୋ କଥା ଭାବୁନୁ ଶାରୀ ! ଏକଥା କିମିତି ଚଳେଇ ପାରିବା ? ତୁ କ’ଣ ଦେଖୁନୁ ? ଗାଁ ଲୋକେ କି ଚଳେଇବେ ? ମୁଁ କି ରହି ପାରିବି ?’’

 

-‘‘ଚଳେଇ ପାରିବ ନାହଁ ? ତମେ କି ଏବେ ମଧ୍ୟ ମତେ କ୍ଷମା ଦେବ ନାହିଁ ? ଗଲା କଥା ସବୁ ଏବେ ମଧ୍ୟ ଭୁଲିଯିବ ନାହିଁ ?’’

 

ଏତିକି କହି ସେ ଭ୍ରମରାର ପାଖକୁ ପଖକୁ ଲାଗିଆସିଲା ।

 

ଏ ଅବସ୍ଥା ଦେଖି ଭ୍ରମରାକୁ ବୁଦ୍ଧି ଦିଶିଲା ନାଇଁ । ନିଜ କପାଳକୁ ଆଉଁସି ଦେଇ ସେ ବାହାରକୁ ଟିକିଏ ଚାହିଁଲା । ତା’ ପରେ କହିଲା - ‘‘ନାଇଁ, ସେମିତି କିଛି ଭାବିନି ମୁଁ । ମାତ୍ର ରହିଲେ ଆମେ ଚଳିବା କିମିତି ?’’

 

ସାଙ୍ଗେ ସାଙ୍ଗେ ଶାରୀ ଜବାବ ଦେଲା - ‘‘କିମିତି ? ପାଇଟିପତ୍ର କରିବା, ପରିଶ୍ରମ କରିବା, ଆମ ହାତରେ ଯାହା ଆସିବ କ’ଣ କରିପାରିବା ନାଇଁ ? ମୋ କଥା କହୁଚି, ମୁଁ ଏଣିକି ଆଉ କେବେହେଲେ କୁ’ଥିରେ ହେଲେ ପଛଘୁଞ୍ଚା ଦେଇ ରହିବି ନାହିଁ ।’’

 

ବୁଢ଼ା ଜବାବ ଦେଲା - ‘‘ଦେଖୁଚୁ ଶାରୀ, ଆମକୁ ଏବେ ପଚାଶ ହେଲା । ଜାଗାଖଣ୍ଡି ତ ଆଉ ଏବେ ମୋରହୋଇ ନାହିଁ । ବାବୁ ଆଉ ବାବୁଆଣୀ ତତେପୋଷିବା ପାଇଁ କେବେ ତ ମଙ୍ଗିବେ ନାଇଁ । ସେ ନ ପୋଷିଲେ ଭିକ ମାଗିବା ଛଡ଼ା ଆଉ କିଛି ଉପାୟ ଦେଖୁନି ।’’

 

ଶାରୀ ବୁଢ଼ାର ଏ କଥାକୁ ମଧ୍ୟ ପ୍ରସ୍ତୁତ ହେଲାପରି କହିଲା - ‘‘ହେଲା, ଆମେ ଯେତେବେଳେ ପାରିବା ନାଇଁ, ଭିକ ମାଗିବା । ହେଲା କ’ଣ ? ପ୍ରହୁ ସମସ୍ତଙ୍କ ପେଟକୁ ତ ଜୁଟେଇଚନ୍ତି; ଆମେ କ’ଣ ପେଟ ପୋଷିପାରିବା ନାଇଁ ? ଯାହା ହେବ, ଆମେ ଆଉ ଜୀବନରେ ଅଲଗା ହେବା ନାଇଁ, କିମିତି ହେଲେ ଚଳିବା, ଆଉ ଦୁଃଖ କିଛି ରହିବ ନାଇଁ ।’’

***

 

(୧୩)

 

ଆକାଶର ଚନ୍ଦ୍ର ପୃଥିବୀକୁ ଆହୁରି ଆଲୋକିତ କରିଦେଲା । ଘର ଭିତରେ ସେହି ଆଲୋକର ପ୍ରତିବିମ୍ବ ଖେଳି ଉଠିଲା । ଶାରୀ ସେହି ଆଲୋକରେ ଭ୍ରମରାର ମୁହଁକୁ ସାମାନ୍ୟ ଦେଖିବାକୁ ପାଇଲା । ବୁଢ଼ା ମୁହଁ ତାକୁ ସେତେବେଳେ ପରମ ସୁନ୍ଦର ଦେଖାଗଲା; ମାତ୍ର ସେ ବୁଝିପାରିଲା ଯେ ତା ଦେହଟା ଖାଲି ଥରୁଛି । ଭିତରେ ତା ମନଟା କିପରି ତିକ୍ତ ହୋଇ ଉଠିଛି । ଆହା ! ଏ ମଧ୍ୟରେ ଦୁଇ ଜଣଙ୍କ ଭିତରେ ଏତେ ଗଭୀର ବ୍ୟବଧାନ ରହିଯାଇଛି ? ଜଣେ ପାଖକୁ ଆସିବାକୁ କହିଲେ, ଆଉ ଜଣେ, ପାଦରେ ଠେଲି ଦେଉଛି ? ସେ ବ୍ୟବଧାନ କି ପୂଜା ଉପାସନା, ଅନୁତାପରେ ଯିବ ? କେତେ କାକୁତିମିନତି କଲେ କି ସେ ବ୍ୟବଧାନ ଲୁଚିପଡ଼ିବ ? ନା, କେଭେଁ ନୁହେଁ ।

 

ଭ୍ରମରା କିଛି ସମୟ ନୀରବ ରହି ପଚାରିଲା - ‘‘ତାହାହେଲେ ତମେ କ’ଣ ଭାବିଛ, ଶାରୀ ? କୁଆଡ଼େ ଯିବାକୁ ଭାବିଛ ?’’

 

-‘‘ଯିବିକୁଆଡ଼େ ? ଏଇ ତ ଘର ଅଛି ମୋର ।’’

 

-‘‘ଘର ତ କିଛି ନାଇଁ; ରହିବ କିମିତି ?’’

 

-‘‘ନା, ମୁଁ ଏଇଠି ରହିବି’’ କହି କହି ସେ ସେି ସ୍ଥାନରେ ପୁଣି ବସିପଡ଼ିଲା । ତା ପରେ କହିଲା ‘‘ଏ ଘର ମୋର । ସବୁ ନ ହେଲେ ଅଧେ ତ ମୋରି . . .’’

 

-‘‘ବାଃ, ମୁଁ ତ ଘରଟାକୁ ବିକିଦେଇଚି । ବାବୁ ଏବେ ଏଥିର ମାଲିକ । ଏବେ ତ ନିକଟରେ ଘରଟାକୁ ସେ ଭାଙ୍ଗିଦେବେ ବୋଲି କହୁଥିଲେ. . .’’

 

-‘‘କ’ଣ କହିଲ ? ଘରଟାକୁ ମୋର ସେ ଭାଙ୍ଗିଦେବେ ? ତମେ ବିକିଦେଇଚ ?’’

 

-‘‘ହଁ, ବିକିଦେଇଚି ।’’

 

-‘‘ତାହାହେଲେ . . . ତାହାହେଲେ ମୁଁ କରିବି କ’ଣ ?’’

 

-‘‘ତମେ ? ତମେ ଆଉ କୁ’ଠି ରହିବ ? ଯାହା କହୁଚ, ହାତରେ ପାଇଟିପତ୍ର କରି ଚଳିବ ।’’

 

ମୁଥ ମାଇଲା ପରି ଭ୍ରମରା ଏହି କେତୋଟି ପଦ କହିପକାଇଲା । ଉଃ, ବାହାରର ସକଳ ଜାଡ଼ ପବନ ସତେ ବା ଜମାଟ ବାନ୍ଧି ଶାରୀର ବୁକୁ ଭିତରେ ଆସି ଜମାହୋଇଗଲା ! ଜବାବ ଦେଲାବେଳେ ତା ପାଟି ଖନି ମାରିଗଲା । ତେଜି ଉଠି କହିଲା - ‘‘କ’ଣ କହିଲ ? ମୁଁ ଦୂରରେ ଥିଲି ବୋଲି ତମେ ଇମିତି ଘରଟାକୁ ବିକି ଦେଲ ? ମୋର ଏଥିରେ କିଛି ଭାଗ ନାଇଁ ? ମତେ କ’ଣ ତମେ ପୋଷନ୍ତ ନାଇଁ ? ଏ ଗାଁରେ କିଏ ଇମିତି ଅଛି ? ଆସୁ ଆସୁ ଘରୁ ବାହାରି ଯିବାକୁ କହୁଚ ! ମୁଁ କ’ଣ ତେବେ . . .’’

 

ବୁଢ଼ା ଥିରି କରି ପଦଟିଏ ଉତ୍ତର ଦେଲା - ‘‘ମୋର ଏ ଦୋଷ ନୁହେଁ, ଶାରୀ !’’

 

-‘‘କ’ଣ ? ଦୋଷ ନୁହେଁ ? ଦୋଷ ତେବେ ଆଉ କାହାର ? ତମେ ବଡ଼ ନିଠୁର, ତମେ ବଡ଼ ଭୁଲା । ଭୁଲା ତମେ ଇମିତି କରିଚ, ଆଉ ଇମିତି କହୁଚ ।’’

 

ଭ୍ରମରା ଉତ୍ତ୍ୟକ୍ତ ହୋଇଉଠିଲା ପରି ଜଣାପଡ଼ିଲା । ଉତ୍ତରିଲା - ‘‘ମୁଁ ତ ଭୁଲା, ଆଉ ତୁମେ . . . ତୁମେ କ’ଣ ?’’

 

ଚାହୁଁ ଚାହୁଁମୁହୂର୍ତ୍ତକ ମଧ୍ୟରେ ଦୁହିଁଙ୍କ ଭିତରେ ଏପରି ବିଷ ସଞ୍ଚରିଗଲା ଯେ ଦୁହେଁ ରାଗରେ ମୁଣ୍ଡବାଳ ଛିଣ୍ଡେଇ ମରିବାକୁ ଇଚ୍ଛା କଲେ । କି ଗୁରୁତର ଅବସ୍ଥା ଯେ ସୃଷ୍ଟି ହୋଇଛି, ଶାରୀ ବୁଝିପାରିଲା । ଆହା ! ସେ କାହାକୁ ଚାହିଁ ଆଉ ମୁହଁ ଟେକିବ ? କେତେ କ’ଣ ଭାବି ଉଠି ଠିଆହେଲା; ପୁଣି ସେ ଭ୍ରମରାକୁ କେକେ କାକୁତି-ମିନତି ହୋଇ କହିଲା –

 

‘‘ଏଡ଼େ ନିଠୁର ନିର୍ଦ୍ଦୟ ହୋଇ ମତେ ତଡ଼ିଦିଅନି, ତଡ଼ିଦିଅନି । ମୁଁ ଯିବି କୁଆଡ଼େ ଏତେବେଳେ ? ଏଇଠିକି ଆସି .ମୁଁ ବଳ-ବୟସ ପାଇବି ବୋଲିଭାବିଚି । ତମେ ଇମିତି ବୁଦ୍ଧି ଧରିବ ବୋଲି ମୁଁ ଭାବି ନାଇଁ . . . ସତେ କ’ଣ ମତେ ଘରୁ ତଡ଼ିଦେବ, ପାଖରୁ ଆଡ଼େଇଦେବ, ପାଦରେ ଠେଲିଦବ ?’’

 

-‘‘ନା, ତା ନୁହେଁ । ସିମିତି ଭାବ ନାଇଁ ଏ ଘରଟା ତ ମୋର ନୁହେଁ । ଏ କଥା କ’ଣ ବୁଝିପାରୁନ ? କହିଲି ପରା, ମୁଣ୍ଡ ଗୁଞ୍ଜିବାକୁ ଘର ଚାଖଣ୍ଡେ ସୁଦ୍ଧା ନାଇଁ ।’’

 

ଶାରୀର ମୁହଁରୁ ଆଉ କଥା ବାହାରିଲା ନାହିଁ । ହାତ ଦି’ଟା ଆଖିରେ ଘୋଡ଼େଇ ଦେଇ ଖାଲି କଇଁକଇଁ ହୋଇ କାନ୍ଦିଲା । ଗୋଟେଗୋଟେ ଦୀର୍ଘ ଶ୍ୱାସଛାଡ଼ି କହିଲା - ‘‘ତାହାହେଲେ . . . ଏଠୁ . . . ଇମିତି ଚାଲିଯିବି . . .. ଭଲ ହେବ ?’’

 

-‘‘ଯିବ କୁଆଡ଼େ ?’’

 

ଅଶ୍ରୁର ତୀବ୍ର ଉଚ୍ଛ୍ୱାସ ଉଠାଇ ଅର୍ଦ୍ଧସ୍ଫୁଟ ବଚନରେ କହିଳା - ‘‘ହେଇଟି ଦୂରରେ ଚିଲିକା ପଡ଼ିଛି । ଯିବି ସେିଠାକୁ . . . ସେଇଠି ବୁଡ଼ି ମରିବି . . . ।’’

 

ବୁଢ଼ା ହୃଦୟରେ ଟିକିଏ ଦୟା ଦେଖାଗଲା । କହିଲା - ‘‘ବାୟାଣୀ ହେଲ ନା କ’ଣ ? ଆସ, ଏଇକ୍ଷଣି ମୋ ସାଙ୍ଗରେ ଆସ । ବାବୁଙ୍କ ଘରକୁ ଯିବା । ରାତିରେ ସେଇଠି ସେ ଟିକିଏ ଥାନ ଦେବେ, ରହିବ, ସକାଳ ହେଲେ ଦେଖିବା, କିମିତି କ’ଣ କଲେ ତମେ ରହି ଚଳିପାରିବ ।’’

 

-‘‘ନା, ନା, ନା, ମୁଁ ଇମିତି କେଭେଁ ଯିବି ନାହିଁ । ଇମିତି ରହିବି ବୋଲି ଭାବି ଏତେ ଦିନ ପରେ ଏତେ ବାଟ ଚାଲି ଚାଲିଆସିନାଇଁ । ଆସିଚି ମୁଁ ତୁମରି ପାଖେ ରହିବି. . . ମୋ ଘରେ ମୁଁ ତୁମକୁ ଧରି ରହିବି ବୋଲି ।’’

 

ଭ୍ରମରା ଯିବାକୁ ଗୋଡ଼କାଢ଼ିଲା ପରି କରି କହିଲା - ‘‘ଶାରୀ, ଯାହା କହୁଚ ସେଥିକି ଆଉ ବେଳ ନାଇଁ । ଆଉ ତା ଏ ଜୀବନରେ ହୋଇ ପାରିବ ନାଇଁ । ତୁମେ କ’ଣ ୟା ବୁଝିପାରୁନ-?’’

 

-‘‘ହେଲା, ମାତ୍ର ମୁଁ ସେ ବାବୁ ଘରଠାକୁ ତ ଯିବି ନାଇଁ । ସଂସାର ପଛକେ ବୁଡ଼ିଯିବ . . . କେଭେଁ ଯିବି ନାଇଁ ।’’

 

-‘‘ତେବେ ଏ ରାତିରେ ଏ ଘରେ ରହିବ କିମିତି ? ରହି ପାରିବ ନାଇଁ ।’’

 

ଶାରୀର ଆଉ ଧୈର୍ଯ୍ୟ ରହିଲା ନାହିଁ । ସେ ଦି’ହାତଯୋଡ଼ିଲା ପରି ପୁଣି ଥରେ ଆରମ୍ଭ କଲା - ‘‘ମୋ କଥା ଶୁଣ- ଥରେ ମୋ କଥା ଶୁଣ । ଆସ ଭାରି, ଏହି ଘରକୁ ଆସ ଭାରି ! ଶୁଭୁଛି ମୋ କଥା ? ଆଉ ଏଡ଼େ ନିର୍ଦ୍ଦୟ ହୁଅନି ମୋଠେଇଁ । ମୋ ଘର ଦ୍ୱାର କରିବାକୁ ମତେ କହ . . . ନ ହେଲେ ଏ ପ୍ରାଣ ଆଉ ଧରିପାରିବି ନାଇଁ ।’’

 

ଏଇ କେତେ ପଦ କହି ସେ ଆଉ କହିପାରିଲା ନାହିଁ । ତାର ଧଇଁ ଉଠିଗଲା । ତାର ସକଳ ଶକ୍ତି, ସକଳ ବାଣୀ, ସକଳ ଉତ୍ତେଜନା ସତେ ବା ନିଃଶେଷ ହୋଇଗଲା ! ସେ କେବଳ ଦୀର୍ଘଶ୍ୱାସ ଛାଡ଼ିଲା, ଧାର ଧାର ଲୁହ ଢାଳିଲା । ମେଞ୍ଚା ହୋଇ ବସିପଡ଼ି, ମୁହଁରେ ହାତ ଦେଇ କେଉଁ ଦେବତାକୁ ଦୁଃଖ ଜଣାଇଲା ପରି ତଳକୁ ମୁଣ୍ଡ ଲଗେଇଦେଲା !’’

 

ଶାରୀର ଏ ଅବସ୍ଥା ଦେଖି ବୁଢ଼ାରଧୈର୍ଯ୍ୟବନ୍ଧବୋଧହୁଏଭାଜିଗଲା । ଏପର୍ଯ୍ୟନ୍ତ ସେ ଟାଣ ଟାଣ କଥା କହୁଥିଲା; ଆଉ ପାରିଲା ନାହିଁ । ତା ପାଖରେ ଯାଇ ବସି ପଡ଼ିଲା । କହିଲା - ‘‘ଶାରୀ, ଉଠ, ଉଠ । ଚାଲ ଯିବା ତାଙ୍କ ଘରକୁ । ଶୁଣିବନି ମୋ କଥା ?’’

 

ଶାରୀ ଆଖିରୁ ଲୁହ ପୋଛିପୋଛି ଉତ୍ତର ଦେଲା - ‘‘ନା,ସେ କଥା ଜୀବନରେ ହବ ନାହିଁ । ପିଣ୍ଡରେ ପ୍ରାଣ ଥିଲାଯାକେପରଦ୍ୱାରକୁ ଯିବି ନାହିଁ । ମୋଲୋକ ଯେବେ ମୋର ପର ହେବ, ମୁଁ କିଆଁ ପରଦ୍ୱାରକୁ ଯାଇ ପରକୁ ଆପଣାର କରିବି ?’’

 

ଏ କଥା ଶୁଣି ଭ୍ରମରା ମନ ପୁଣି କଠୋରହୋଇ ଆସିଲା । ଟିକିଏ ରୁକ୍ଷ ଭାବରେ କହିଲା - ‘‘ମାତ୍ର ମୋ କଥା ଶୁଣୁଛ ନା ଶାରୀ ! ଏ ଘରେ ତୁମେ କେଭେ ରହିପାରିବ ନାଇଁ, କେଭେ ନୁହେଁ ।’’

 

କେତେ ସେ ବୁଝେଇଲା; ସାଉଁଳେଇ- ପାଉଁଳେଇ କହିଲା; ଭୟ ମଧ୍ୟ ଦେଖାଇଲା; ତଥାପି ଶାରୀ ମନକୁ ଟାଳିପାରିଲା ନାହିଁ । ଶାରୀ କେବଳ ଆଖି ତରାଟି ଉପରକୁ ଚାହିଁ ରହି ମନେ ମନେ କ’ଣ ଭାବି ଖାଲି ସେଇ ଏକା କଥା କହିଲା - ‘‘ନା; ମୁଁ ଯିବି ନାହିଁ । ଏଇ ରାତିକ ରହିବି ମୁଁ; ଏଇ ରାତିକ ରହିବି ମୁଁ, ଏ ମୋର ଘର . . .’’

 

ଭ୍ରମରା ଆଉ କହିବ କ’ଣ ? ତାର ସେହି ପୁରୁଣା କଥା, ସେହି ଦଶ ବର୍ଷ ତଳ କଥା ମନେ ପଡ଼ିଲା । ମନରେ ରାଗ ଆସିଲା । ଭାବିଲା - ଏ ଯେବେ କଥା ନ ମାନି ଏ ଶୀତ-କାକରରେ ଭୂତ ଭଳିଆ ଏଇମିତିକା ବସି ରହିବ, ରହୁ - ତା କଥା ସେ ବୁଝୁ । ଆଉ କିଛି କହିବା ଦରକାର କ’ଣ ? ରାତି ପାଇଲେ ଯାହା କହିବ, ଯାହା କରିବ ।

 

ଶାରୀକି ବୁଝେଇ ନ ପାରି ଭ୍ରମରା ତା ବାବୁ ଘରେ ଯାଇ ପହଞ୍ଚିଲା । ବାବୁଙ୍କୁ କହିଲା - ‘‘ତା ସାଙ୍ଗେ କଥାବାର୍ତ୍ତା ହୋଇ କିଛି ଲାଭ ନାଇଁ ବାବୁ ! ଟିକିଏ ହେଲେ ସେ ବଦଳି ନାହିଁ । ଆଗେ ଯେମିତି ଥିଲା, ଠିକ୍‌ସିମିତି ଅଛି - ଯେତେ ବୁଝେଇଲେ ହେଲେ ଅଇଲା ନାଇଁ ପରା ।’’

 

ଶାରୀର ଇତିହାସ ଶୁଣି ବାବୁଆଣୀଙ୍କ ମନରେ ବଡ଼ ଦୁଃଖ ଲାଗିଲା । ସ୍ୱାମୀଙ୍କୁ ଲକ୍ଷ୍ୟ କରି କହିଲେ - ‘‘ଆହା, ଏ ଜାଡ଼ରେ ସେ ଘରେ କିମିତି ସେ ରହିବ ! ରାତିକ ପାଇଁ ଏଠାକୁ ନେଇଆସନ୍ତ ହେଲେ ।’’

 

ବୁଢ଼ା କହିଲା - ‘‘ନା, ନା, ଆଉ କେଭେଁ ନୁହେଁ । ସେ କଥା ଆଉ କେବେ କହ ନାଇଁ ।’’ ଏହା କହି କହି ଯାଇ ସେ ତା ଘର ଭିତରେ ପଶି ଦୁଆର କିଳିଦେଲା ।

 

ବୁଢ଼ା ସିନା ଦୁଆର କିଳି ରହିଲା; ମାତ୍ର ଏଣେ ବାବୁ-ବାବୁଆଣୀଙ୍କିରାତିଯାକ ନିଦ ନାହିଁ-। ନାରୀ ଯେ କେତେ ଦୂର ଦୁଷ୍ଟା ହୋଇପାରେ, ସେମାନେ ଭାବିପାରିଲେ ନାହିଁ । ମାତ୍ର ନାରୀଦୁଃଖରେନାରୀପ୍ରାଣ ଛଟପଟ ହେଲା । ବାବୁଆଣୀ ବାବୁଙ୍କୁ ଚାହିଁ କହିଲେ - ‘‘ଆହା, କ’ଣ କରୁଥିବ ସେ; ଟିକିଏ ଗଲେ ଭଲ ହୁଅନ୍ତା ନାଇଁ ?’’ ମାତ୍ର ପର ମୁହୂର୍ତ୍ତରେ ସେ ଯେତେବେଳେ ସ୍ୱାମୀଙ୍କ ମୁହଁରୁ ଶୁଣିଲେ ଯେ ଶାରୀ ଗୋଟେ ସାକ୍ଷାତ୍‌ଭୂତ, ରାତିରେ ସେଠାକୁ ଯିବା ନିରାପଦ ନୁହେଁ; ସାଙ୍ଗେ ସାଙ୍ଗେ ପୁଣି ସେ ନାହିଁ କଲେ ।

 

ଅଗଣା ପାଖ ପିଣ୍ଡାରେ ପୋଷା ଶୁଆଟିଏ ବନ୍ଧା ହୋଇଥିଲା । ଘରେ ରାତିରେ ଗହଳଚହଳ ଶୁଣି ସେ ସ୍ୱର ମେଲେଇ ‘‘ରାଧାକୃଷ୍ଣ, ରାଧାକୃଷ୍ଣ’’ ଗାଇଲା । ତା ସ୍ୱର ଶୁଣି ଗୃହଦମ୍ପତି ମନେ କଲେ; ଶୁଆଟି ବୋଧହୁଏ ସବୁ କଥା ବୁଝିପାରି; କେବଳ କଥା କହି ନ ପାରି ପାଟିକରୁଛି ! ସେ ବୋଧହୁଏଶାରୀକି ଡାକି କହୁଛି- ‘‘ନାଇଁ, ନାଇଁ, ରାତିରେ ସେ ଘରେ ନ ରହି ଚାଲିଆ, ଚାଲିଆ ।’’

 

ମୁହୂର୍ତ୍ତ ପରେ ମୁହୂର୍ତ୍ତ ଗଡ଼ିଲା । ବାହାରେ କିଛି ସୋରଶବ୍ଦ ନାହିଁ । ବୁଢ଼ା ଭ୍ରମରା ଶୀତରେ ଜାକିଜୁକି ହୋଇ ଶୋଇ ସାରିଥିଲା । ଆଖି ବୁଝି ସେ ଶୋଇଲା ସିନା; ମାତ୍ର ଖାଲି ସ୍ୱପ୍ନ ଦେଖିଲା ! କି ଦାରୁଣ ସ୍ୱପ୍ନ ସେ ! ଶାରୀ ଆସଛି - ଧାଇଁ ଧାଇଁ ଆସୁଛି - ତାକୁ ମାରିବାକୁ ଆସୁଛି । ତାର ବାଳ ମୁକୁଳା ହୋଇପଡ଼ିଛି; ତାର ଆଖି ନାଲି ପଡ଼ିଯାଇଛି । ସେ କେବଳ ଭ୍ରମରା ସଙ୍ଗେ କଳି ଲଗାଉଛି । ଉଃ - ଭ୍ରମରା କି ଏ ବୟସରେ ଆଉ ତା ସମ୍ଭାଳିପାରେ ? ସେ ପଛଘୁଞ୍ଚା ଦେଉଛି - ଘୁଞ୍ଚି ଘୁଞ୍ଚି ଆସି ଘରେ ପଶି ଦୁଆର କିଳି ଦେଉଛି ! ପୁଣି ତରେ ସେ ଆଖି ଫିଟେଇ ଚାହିଁଛି . . . ଦେଖିଛି, ଶାରୀ ନାହିଁ, ସେ କୁଡ଼ିଆ ନାହିଁ, କେବଳ ସେ ଏକ ଅନ୍ଧାର କୋଠରିରେ ପଡ଼ି ବିକଳରେ ହାହାକାର କରୁଛି । ତାର ପ୍ରତିଜ୍ଞା - ଆଉ କେବେ ସେ ସେହି ଘରକୁ ଯିବ ନାହିଁ, ସେ ଆଉ ଶାରୀକି ଧରି ଘରଦ୍ୱାର କରିବ ନାହିଁ ।

***

 

(୧୪)

 

ଅନନ୍ତ ଗଗନଦେଶ ଘନ କୁହେଳିକାରେ ଆଚ୍ଛନ୍ନ ହୋଇଗଲା । ଉଜ୍ଜ୍ୱଳ ଚନ୍ଦ୍ରକିରଣ ପାଣ୍ଡୁର ଦେଖାଗଲା । ମୃଦୁ-ମନ୍ଦ ଧୀର ନିଶାନ୍ତ ପବନ ଶିଶିରସିକ୍ତତରୁପତ୍ର ଭିତରେ କି ମଧୁର ସଙ୍ଗୀତ ଶୁଣାଇ ଶୁଣାଇ ବହିବାରେ ଲାଗିଲା । ଚାହୁଁ ଚାହୁଁ ଅନନ୍ତ ଅସୀମ ସାଗର ସେ ପାଖରୁ ଆକାଶର ଖୁବ୍‌ଉଚ୍ଚରେ କାହୁଁ ଖଣ୍ଡ ଖଣ୍ଡ କଳା ମେଘ ଚିଲିକାରେ ଅଧୀର ବୁକୁ ଉପରେ ପ୍ରତିଫଳିତ ହୋଇ ଉଠିଲେ । ଜଣାପଡ଼ିଲା - ଆଉ ଅଳ୍ପ ସମୟ ପରେ ରାତି ପାହିବ, ଧରଣୀ ନିଦ୍ରାରୁ ଉଠିବ; ଆକାଶରେ ମହୋତ୍ସବ ଆରମ୍ଭ ହେବ, ଜନପ୍ରାଣୀ ସୂର୍ଯ୍ୟର ଆଲୋକ ଆଶାରେ ଆଉ କିଛି ସମୟ ପରେ ଆଖି ମେଲେଇବେ । ଚିଲିକା ବେଶ ବଦେଳେଇବ, ତରୁଲତା ହାସ ବଦଳାଇବେ; ମାତ୍ର ଶାରୀ ତାର ବାସ ବଦଳାଇବ କି ନାହିଁ, କିଏ ଜାଣେ ? ତେଣେ ହୋଇଛି କ’ଣ ?

 

ଶାରୀ ସେହି କୁଡ଼ିଆ ଭିତରେ ଯେପରି ଏକାକିନୀ ବସିଥିଲା, ସେହିପରି ବସିଛି । ବସି ବସି ତାର ଦେହ ଜଡ଼ହୋଇ ଆସିଲା - ସେ ଆଉ ବସି ନ ପାରି ସେହି ବେଶରେ, ସେହି ତଳେ ଢଳିପଡ଼ିଲା । ଗୋଡ଼ରୁମୁଣ୍ଡଯାଏ ସେହି ଏକମାତ୍ର ପିନ୍ଧିଲା ଲୁଗାଟି ଜଡ଼ାଇ ଦେଇ, ଛୋଟ ବୁଜୁଳାଟାଏ ମୁଣ୍ଡତଳେ ଥୋଇ ଆଖିପତା ପକାଇଦେଲା ! ହଠାତ୍‌ତାକୁ ନିଦ ଆସିଗଲା । ସେ ପରା ଦଶବର୍ଷ ପରେ ଆପଣା ଘରକୁ ଫେରିଛି ! ଉଃ, ପ୍ରାଣରେ କି ତୀବ୍ର ଆକାଙ୍‌କ୍ଷା ! ଘର ତାର - ପ୍ରିୟ ଘର ତାର - ସେ ସେହିଠାରେ ଶୋଇଲା, ସେହି ଭୂଇଁକି ଆଲିଙ୍ଗନ କଲା !

 

ଶାରୀ ଅବସାଦରେ ଶୋଇ ପଡ଼ିଲା; ମାତ୍ର ସେହି ରହସ୍ୟମୟ ନିଦ୍ରା ଜଗତରେ ଦେଖିଲା କ’ଣ ? କାନ୍ଥ ପାଖକୁ ଲାଗି ଦୁଇ-ଚାରିଟା ଚୁଲି ଆଖି ମେଲେଇ ତା ଆଡ଼କୁ ଚାହିଁ ରହିଛନ୍ତି ! ଦିନ ଥିଲା, ସେହି ଚୁଲିରେ ସେ କେତେ ଥର ନିଆଁ ଜାଳିଛି, କେତେ ଥର କେତେ ରନ୍ଧାବଢ଼ା କରିଛି । ତାକୁ ଜଣାପଡ଼ିଲା, ସତେ ଯେପରି ସେହି ଚୁଲିଗୁଡ଼ାକ ଏକାଠି ସଭା କରି ଏତେ ବର୍ଷ ପରେ ତାଙ୍କର ସେହି ପୁରୁଣା ଗୃହିଣୀକୁ ପଚାରୁଛନ୍ତି - ‘‘କଥା କ’ଣ ? କଥା କ’ଣ ? କ’ଣ ଦରକାର କରୁଛ ?’’

 

ଖାଲି ସେତିକି ନୁହେଁ । ସେହି ଚୁଲିମୁଣ୍ଡେ ଜାକିଜୁକି ହୋଇ ବସି ଦିନେ ସେ ସେହି ଛୋଟ ଶିଶୁଟିକୁ ସେକିଥିଲା . . . ଆହା . . . ! ଉଃ ଦାରୁଣ ସ୍ମୃତି ତା ହୃଦୟକୁ ବିନ୍ଧିଲା । ସେହି ଭୟରେ ତା ଆଖିପତା ଫିଟିଗଲା ! ମାତ୍ର ଚାହିଁବାକୁ ତାର ସାହସ ହେଲା ନାହିଁ । ପୁଣି ସେ ଆଖି ବୁଜି ଦେଲା । ଭାବିଲା, ଆଖି ଫିଟେଇ ରଖିଲେ କାଳେ ସେହି ଶିଶୁ-ଛୁଆଟା ଆଖି ଆଗରେ ଆସି ପଡ଼ିବ । ଆଖି ସିନା ବୁଜିଲା; ମାତ୍ର ସେହି ଶିଶୁର କଣ୍ଠସ୍ୱରକୁ ଏଡ଼ାଇ ରହିପରିଲା ନାହିଁ । ଠିକ୍‌ ଚୁଲି କୋଣରେ କି ଏ ଶବ୍ଦ ହେଲା ।

 

ଶାରୀ ଚମକି ପଡ଼ିଲା - ଉଃ ! ସେହି ଶବ୍ଦ ! ଆଖି ବୁଜି କାନରେ ହାତ ଦେଲା ।

 

ତାପରେ ଆସିଲା ଭ୍ରମରା । ଉଲା ସେ, ନିତାନ୍ତ ଉଲାଉଦିଆ - ତା ମୁଣ୍ଡରେ ଆଦୌ ବୁଦ୍ଧି ନାହିଁ । ପାଖରେ ଥିବା ଛାଞ୍ଚୁଣୀମୁଣ୍ଡାଟା ଧରି ସେ ତାକୁ ଖଣ୍ଡେଦୂର ଗୋଡ଼େଇ ଗଲା । କହିଲା -‘‘ରଇଜଳା ଆସିଛି ଖାଇବାକୁ, ଘରେ ଥାତି ଥୁଆ ହୋଇଚି ! ଯା, ଫେରିଯା, ମୋ ଆଗରୁ ଫେରିଯା। ଘରେ ମୋର କିଛି ନାଇଁ ।’’ ଭ୍ରମରା କଡ଼ଆଡ଼େଇ, ମୁଣ୍ଡକୁ ଆଉଁସି ଆଉଁସି ଚାଲିଗଲା । ସେହି ଛାଇଛାଇଆ ନିଦରେ ମଧ୍ୟ ଶାରୀର ଆଖି ଫିଟାଇବାକୁ ଇଚ୍ଛା ହେଲା ନାହିଁ । ଜାକିଜୁକି ହୋଇ ଆଣ୍ଠୁକୁ ମୁଣ୍ଡ ଯୋଡ଼ି ଦେଇ ଖାଲି ସେ ଠକ୍‌ଠକ୍‌ ହୋଇ ଥରିଲା ।

 

ତା ପରେ ଆସିଲା ପୋଷିଆଁ ଝିଅ ହୀରା । ଇସ୍‌. . . ଏ ଯୌବନର ମଧ୍ୟ ବଦନ ତାର ନିଷ୍ପ୍ରଭ- ପାଟିରୁ ତାର କଥା ବାହାରୁ ନାହିଁ କି ଓଠରେ ହସ ନାଇଁ - ନିତାନ୍ତ ନିରୀହା ସେ । ଶାରୀ ତାକୁ ଦେଖିଲା ମାତ୍ରେ ଚିତ୍‌କାର କରି ଉଠିଲା - ‘‘ଯା ପୋଡ଼ାମୁହୀଁ, ଯା । ସାଇକି ଯା, ଯାହାକୁ ପାରୁଛୁ ତାକୁ ବିଭା ହୋ । ଟିକି ଝିଅ ବୋଲାଉଚି ! ଆମେ ତ ହେଲୁଣି ବୁଢ଼ାବୁଢ଼ୀ, ଆମେ ଏ ପୋଡ଼ାମୁହୀଁକି କେତେକାଳ ଆଉ ପୋଷିବୁ ? ବୟସ ହେଲାଣି ଏତେ-ହୀନକପାଳୀକି ବର ମଙ୍ଗିବେ କୁଠି ?’’

 

ପୁଣି ଥରେ କମ୍ପ ଆସିଲା । ଦାନ୍ତପାଟି ଥରିଲା । କହିଲା - ‘‘ପ୍ରଭୁ ହେ !’’

 

ତା ପରେ ଆସିଲା ଦୁର୍ଯୋଗର ଦିନ-ଦୁଃଖର ଦିନ । ତାହା ଆଉ ଏକ ଇତିହାସ ! ହୀରା କି ଦୁର୍ଯୋଗରେ ସେ ପିଲା ଜନ୍ମ କଲା - ସମସ୍ତେ ଭାବିଲେ, ଏ ପୁଅ ନୁହେଁ ଯେ, ଏ ଘରକୁ କଳଙ୍କ-। କଳଙ୍କ ଗଲେ ରକ୍ଷା । ଛି, ଅଭିଆଡ଼ୀର ପିଲା ! ପିଲାର ନାଁ ଲୁଚିଗଲେ ବା ଲୋକେ କେତେ ଦିନରେ କଥା ଭୁଲିଯାନ୍ତେ, ନ ଭୁଲିଲେ ବା ବାଟରେ ଘାଟରେ ଏତେ ଆଉ ଏପରି କଥାବାର୍ତ୍ତା ହୁଅନ୍ତେ ନାହିଁ; ମାତ୍ର କରାଯିବ କ’ଣ ?

 

ଏ କ’ଣ ? ପୁଣି ଏ କି କୁଁକୁଁ ଶବ୍ଦ ! ପାପର ଫଳ କାନ୍ଦିଲା ! ଶାରୀ ମୁହଁକୁ ଆହୁରି ଲୁଚେଇ ଦେଲା; ଭାବିଲା - ଛି, ଛି, ମଲେ ରକ୍ଷା - ରକ୍ଷା !

 

ଉଃ ! ଶାରୀର ପ୍ରାଣରେ କି କଷ୍ଟ ! ସେ ଆଖି ବୁଜି ତୁଚ୍ଛା ଭୂଇଁଟାରେ ଖାଲି ଗଡୁଥିଲା । ବେଳେବେଳେ ବିକଳ କଣ୍ଠରେ ଚିତ୍‌କାର କରୁଥିଲା । ସେ ଖାଲି ସ୍ୱପ୍ନ ଦେଖୁଥିଲା - ଖାଲି ସ୍ୱପ୍ନ ! ସ୍ୱପ୍ନ !! ସ୍ୱପ୍ନ !!!

 

(୧୫)

 

ଶାରୀ ତା ଜୀବନରେ ସହସ୍ର ଦିବସର କାମନା ଘେନି ଆଶା ଆଶ୍ୱାସନା ମୁକ୍ତି ପାଇଁ ଏତେ ବାଟ ଚାଲି ଚାଲି ଆସି ପହଞ୍ଚିଲା କ’ଣ ଏଇ ବିଭ୍ରାଟ ପାଇଁ ? ଏହି ବିକଟ ଅଭିନୟ ଦେଖିବା ପାଇଁ ? ତାର ସେହି ସକଳ ସୁଖ, ଶାନ୍ତି, ମୁକ୍ତିର ସ୍ୱପ୍ନ ନରକର ଭୟାବହ ଚିତ୍ରରେ ପରିଣତ ହେଲା-। ସେ କେବଳ ଦୁଃଖରେ, ଯାତନାରେ, ନିରାଶାରେ ଭାଜିପଡ଼ି କାତର ଭାବରେ କାନ୍ଦିଲା - ତା ଆଖି ଆଗରେ ମୁହୂର୍ତ୍ତକୁ ମୁହୂର୍ତ୍ତ କି ଭୟାବହ ଚିତ୍ର ବା ଦେଖା ନ ଗଲା ! କାନ୍ଦି କାନ୍ଦି ସେ କହିଲା - ‘‘ପ୍ରହୁ ହେ, ଉଦ୍ଧାର କର - ଆଉ ଏ ଦୁଃଖ ଦିଅନି ।’’

 

କ୍ରମେ ତା ଦେହଟା ଗରମ ହୋଇ ଆସିଲା । ଏତେ ଜାଡ଼ରେ ସେ ଇଚ୍ଛା କଲା, ଲୁଗାପଟା ଦେହରୁ କାଢିଦେଇ ଖାଲି ତଳେ ଗଡ଼ିବ !

 

ଯାହା ହେଲା, ହେଲା; ଏ ଯନ୍ତ୍ରଣା ନ ମିଳନ୍ତା କି । ଏଇ କେତେ ଯେ ବିକଟ ଜୀବ ଭୀଷଣ ଦନ୍ତ ଦେଖାଇ ଘର ଭିତରକୁ ପଶିଆସୁଛନ୍ତି । ସେ କରିବ କ’ଣ ? ଜଣକ ପରେ ଜଣେ, ଗୋଟାକ ପରେ ଗୋଟେ ଆସି ଜମା ହେଲେ ! ଏ କ’ଣ ଶାସ୍ତିର ଦିନ ? ଏଇମାନଙ୍କୁ ତ ଅପମାନ ଦେଇଥିଲା, କେତେ ଗାଳି ପରାଭବ କରିଥିଲା ! ଦିନେ ଦି’ଦିନ ମଧ୍ୟ ନୁହେଁ, କେତେ ବର୍ଷ ଏହିପରି ବ୍ୟବହାର ଦେଖାଇଥିଲା । ଉଃ ! ଆସିଲେ - ଖାଲି ଏଇ ବିକଟ ଜୀବଗୁଡ଼ାକ ଘର ଭିତରକୁ ପଶିଆସିଲେ ! ସାଇର ବୁଢା ବୁଢୀ, ପିଲାପିଚିକା, ଯୁବକ ଯୁବତୀ ଯେତେ ଯିଏ ଥିଲେ, ସମସ୍ତେ ତାହାରି ଆଡ଼କୁ ଆଙ୍ଗୁଠି ଦେଖାଇ ଦେଖାଇ ଆସିଲେ - ସମସ୍ତେ ତାକୁ ଦେଖି ମୁଖ ବିକୃତ କଲେ । ରକ୍ଷା କାହିଁ ? ଖାଲି ସେହି ରୁପ । ଖାଲି ସେହିମାନେ ! ଓହୋ .....ଭଗବାନ .....!!

 

ଆଉ ତାର ମୁକ୍ତି ଲୋଡ଼ିବା ପାଇଁ, ପ୍ରାୟଶ୍ଚିତ୍ତ କରିବା ପାଇଁ ବେଳ ନାହିଁ । ନିଜକୁ ସଂଶୋଧନ କରିବା ପାଇଁ ଯାହା ଦରକାର ସବୁ ଶେଷ ହୋଇଛି - ଆଉ କିଛି ନାହିଁ । ଏ ଯନ୍ତ୍ରଣା ଭିତରେ ସେ କେବଳ କରଯୋଡ଼ହୋଇ କାହାକୁ କହୁଥିଲା - ‘‘ମତେ କି କ୍ଷମା ଦେବ ନାଇଁ, ସବୁ ଦୋଷ କି ଭୁଲିଯିବ ନାଇଁ ?’’

 

ମାତ୍ର ବେଳ ନାଇଁ - ବେଳ ନାଇଁ । ଭ୍ରମରା ବେଳ ଥାଉଁ ବହୁ ଦୂରକୁ ଚାଲି ଯାଇଛି । ସେ କି ଆଉ ଶାରୀ ପାଖକୁ ଫେରିବ ?

 

-‘‘ପ୍ରଭୁ ହେ, ମୋ ପାଇଁ ଆଉ ଶାନ୍ତି ନାହିଁ ?’’

 

ଶାରୀ ସେହିପରି ଆଖିବୁଜି ପଡ଼ି ରହିଲା । ତା’ରି ଚାରିପଟ ଘେରି ଘର ଭିତରେ କେତେ କାହାର ମୁହଁ ଦେଖାଗଲା । ପ୍ରତିଶୋଧ ନେବା ପାଇଁ, ରାଗ ଶୁଝେଇବା ପାଇଁ, ଯେତେ ଯେଉଁଠି ଥିଲେ, ସମସ୍ତେ ଆସି ହାଜର ହୋଇଗଲେ । ସେମାନଙ୍କୁ ଦେଖି, ଚିହ୍ନିପାରି ଉଠିପଡ଼ି ସେ କୁଆଡ଼େ ଧାଇଁ ପଳାଇବାକୁ ଇଚ୍ଛା କଲା....ମାତ୍ର ଏତେ ସେ କ୍ଳାନ୍ତ ହୋଇ ପଡ଼ିଥିଲା । ଯେ ଲେସିଲା ପରି ସେହିଠି ପଡ଼ିରହିଲା ।

 

ଶେଷରେ ତାକୁ ଜଣାଗଲା, ଜଣେ କିଏ ନବାଗତ ଘର ଭିତରେ ଆସି ପ୍ରବେଶ କଲେ-। ସେ ସମସ୍ତଙ୍କୁ ପାର ହୋଇ ତା ପାଖରେ ଯେତେବେଳେ ଠିଆ ହେଲେ, ସମସ୍ତେ ପଛକୁ ଘୁଞ୍ଚାଯାଇ ତାଙ୍କୁ ବିସ୍ମୟରେ ଚାହିଁ ରହିଲେ । ଝରଝର ହୋଇ ତାଙ୍କ ମୁହଁରୁ ଆଲୋକଧାରା ଝରି ପଡ଼ୁଥିଲା । ଆସିଲା ମାତ୍ରେ ସେ ଆପଣା ହାତ ଦୁଇଟା ତା ଆଡ଼କୁ ବଢାଇ ଦେଲେ । ଆହା ! ତାଙ୍କରି ପ୍ରତି ପଦରେ କି ମାଦକତା ପୂରିରହିଥିଲା ! କି ଅମୃତ ଝରୁଥିଲା !

 

ଶାରୀ ଉଠିବାକୁ ଚେଷ୍ଟା କରୁ କରୁ ସେ ତାକୁ କୋଳକୁ ଟାଣି ନେଲେ, କହିଲେ - ‘‘ଶାରୀ ! ଉଠ, ତୁମେ ଯାଅ । ଆଉ ତୁମର ପାପ କିଛି ନାହିଁ ।’’ ଅନନ୍ତ ଆକାଶରେ ଚନ୍ଦ୍ର ପଶ୍ଚିମ ଗଗନ ତଳେ କ୍ଷୁଦ୍ର ପାହାଡ଼ଆର ପାଖେ ଲୁଚିଗଲା । ପାହାଡ଼ର ଶ୍ୟାମଳିମାରେ ଚନ୍ଦ୍ରର ସେ ପାଣ୍ଡୁରତା ମିଶି ଏକାକାର ହୋଇଗଲା । ବେଳକୁ ବେଳ ଶିଶିରବିନ୍ଦୁ ତରୁଲତା ଦେହରୁ ଝରଝର ହୋଇ ପଡ଼ିଲା; ପବନ ଆହୁରି ଜୋରରେ ବହିଲା – ପୂର୍ବକାଶ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ଦେଖାଗଲା । କେତେବେଳେ କିଏ ଗୋପନଚାରିଣୀ ଆସି ଚିଲିକାର ଧୂସର ଅଙ୍ଗରେ ଫଗୁବିଞ୍ଚି ଦେଇଗଲା । ଚାହୁଁ ଚାହୁଁ ଦିଗବିଦିଗ ଧରି ଚିଲିକାର ଲହରୀମାଳା ଉପରେ ଖାଲି ଗୋଲାପୀ ବର୍ଣ୍ଣର ହାସ୍ୟ ଫୁଟିଲା ! ତେଣେ ପଶ୍ଚିମ ଗଗନ ତଳେ ଦୁର୍ଗ-ପ୍ରାଚୀର ପରି ଘେରି ରହିଥିବା ଗିରିଶ୍ରେଣୀଆଡ଼କୁ ଦଳ ଦଳହୋଇ ପକ୍ଷୀ ଧାଇଁବାରେ ଲାଗିଲେ - ଜଣାଗଲା ପ୍ରଭାତ ହେଲା ।

***

 

(୧୬)

 

ଆଲୋକ ଅନ୍ଧାରର ଏହି ବିଚିତ୍ର ଖେଳ ଚାଲୁଥିବାବେଳେ ଭ୍ରମରା ତାର ବାବୁ ଆଉ ବାବୁଆଣୀଙ୍କୁ ସାଙ୍ଗରେ ଧରି ସେହି ପୁରୁଣା ଘର ପାଖକୁ ଶାରୀକି ଦେଖିବାକୁ ଗଲା । ଚାଲିଲା ବେଳେ କେହି କାହାକୁ କିଛି କଥା କହୁ ନଥିଲେ । ସମସ୍ତେ ସେହି ଶାରୀ କଥା ଭାବୁଥିଲେ । ଭ୍ରମରା ଭାବୁଥିଲା - ଏତେ ବର୍ଷ ପରେ ଗାଁ ଲୋକଙ୍କ ବିନା ଅନୁମତିରେ, ଜାତିଆଣ ସଭାର ବିନା ହୁକୁମରେ ସେ କିପରି ଶାରୀକି ନିଜର ସ୍ତ୍ରୀ ବୋଲି ପୁଣି ଗ୍ରହଣ କରିବ ? ଯଦି ବା କାହା କଥାକୁ ଲକ୍ଷ୍ୟ ନ ରଖି କରିବ, ତେବେ ତାର ଭାଗ୍ୟ କ’ଣ ହେବ ? ବାବୁ ଭାବୁଥିଲେ - ବୋଝ ଉପରେ ନଳିତା ବିଡ଼ା ପରି ଶାରୀ ଆସି ସେହିମାନଙ୍କ ଦୁଆରେ ପଡ଼ିଲାଣି । କି ଉପାୟରେ ସେ ଗୁରୁଭାରରୁ ରକ୍ଷା ପାଇବାକୁ ହେବ ? ଆଉ ବାବୁଆଣୀ ତାଙ୍କର ନାରୀ ସୁଲଭ ସ୍ନେହ ଦୟା ମିଶାଇ ବିଚାରୁଥିଲେ - ସେ କି ଘରେ ଆମର ବାସନପତ୍ରଦି’ଖଣ୍ଡ ମାଜି ରହିପାରିବ ନାହିଁ ?

 

ଏହିପରି ଭାବରେ ଚିନ୍ତା କରି କରି ତିନିଜଣଯାକ ଦୁଆର ମୁହଁରେ ଯାଇ ହାଜର ହେଲେ-। ତା ପରେ ସେ ଘର ଭିତରକୁ ଆଗ ପାଦ ପକାଇବ କିଏ ? ବାବୁଆଣୀଙ୍କ ତ ଭୟ ଲାଗିଲା; ସୁନ୍ଦର ବଳିଷ୍ଠ ବପୁ ବହି ମଧ୍ୟ ବାବୁ ସାହସ କଲେ ନାହିଁ । ଶେଷରେ ଭ୍ରମରା ବାଡ଼ି ଅଗରେ ଦୁଆରଟା ଠେଲି ଦେଇ ଘର ଭିତରକୁ ପଶିଗଲା । ତା ପଛେ ପଛେ ଏ ଦୁଇ ଜଣଯାକ ଚାଲିଲେ ।

 

ଘର ଭିତରେ ପଶି ଭ୍ରମରାକୁ ପ୍ରଥମେ କଥା କହିବାକୁ ପଡ଼ିଲା - ‘‘କୁଆଡ଼େ ? କୁ’ଠି.....?.......ଏଇ ତଳଟାରେ ଏପରି ଶୋଇଚ ?’’

 

ଶାରୀର ସେହି ଶୋଇବାଢ଼ଙ୍ଗ ଦେଖି ଭ୍ରମରା ଛାତିଟା ଦାଉଁକିନା ହୋଇଗଲା । ସେ ଚମକିଲା ପରି ଅଧେ କଥା ପଚାରି ଅଧେ ଢୋକିପକାଇଲା ।

 

ତା ପ୍ରଶ୍ନର ଉତ୍ତର ମିଳିଲା ନାହିଁ; ଆହୁରି ନିକଟକୁ ଗଲା, ପୁଣି ଡ଼ାକିଲା। ସବୁ ନୀରବ । ଦେଖିଲା, ଶାରୀ ଚିତ୍‌ହୋଇ ଶୋଇଚି । ହାତ ଦୁଇଟା ଛାତ ଉପରେ ପଡ଼ିଛି । ଆଖିକି କଟମଟ କଲାପରି ସେ ଉପରକୁ ଚାହିଁଛି ।

 

ବୁଢ଼ା ଦେହରେ ଛନକା ପଶିଗଲା । କହିଲା - ‘‘କଥା କ’ଣ ?’’ ଚାହୁଁ ଚାହୁଁ ପାଟି ତାର ଖନି ମାରିଗଲା । ତା ଚିତ୍କାର ଶୁଣିବାକୁ ବାବୁଆଣୀ ଚମକିଲା ପରି ହୋଇ ତା ଆଡ଼କୁ ଲାଗିଆସିଲେ ।

 

ଭ୍ରମରା ଲଇଁପଡ଼ି ଶାରୀର ଦେହକୁ ହଲାଇ ଦେଲା । ଦେହଟାଯାକ ଗୋଡ଼ରୁ ମୁଣ୍ଡଯାଏ ଏକାପରି ହଲିଗଲା । ଭ୍ରମରା ସେତିକିରେ ସେହିଠାରେ ବସିପଡ଼ି କହିଲା - ‘‘ଶେଷରେ ତେବେ ୟା ହେଲା !....... ଚାଲିଗଲା ......!’’

 

ଶାରୀର ଜୀବନ-ଦୀପ ଲିଭିଗଲା । ବୃଦ୍ଧ ବୟସରେ ଜୀବନରେ ଯୌବନ କଳ୍ପନା କରି ସେ ଆସିଥିଲା । ନିରାଶା ଭିତରେ ଆଶା ପାଇବ ବୋଲି ସେ ଧାଇଁଥିଲା । ଅପରାଧ ଭିତରେ ମୁକ୍ତି ପାଇଁ ଅନୁତାପ କରିବ ବୋଲି ସେ ଭାବିଥିଲା । ତା ପ୍ରାଣର ବ୍ୟଥା ସେହି କେବଳ ବୁଝିଲା; ଆଉ ସଂସାରକୁ ଯଦି କିଏ ନିଜର ଯାଦୁ-ମନ୍ତ୍ରରେ ନଚାଉଥାଏ ସେହି କେବଳ ବୁଝିଥିବ । ଏ ଧୂଳିମାଟି ପୃଥିବୀର ମାନବଜାତି ତାହା ବୁଝିବା ସହଜ ନୁହେଁ !

 

ଶାରୀ କାନ୍ଦି ନଥିଲା; ସେ ରକ୍ତ ଢ଼ାଳିଥିଲା - ସେ ଡ଼ାକି ନଥିଲା; ସେ ହାହାକାର କରିଥିଲା । ସେ ନିଜର ଯୌବନ କଳ୍ପନା କରିବା ସଙ୍ଗେ ସଙ୍ଗେ ଭ୍ରମରାକୁ କଳ୍ପନାରେ କୋଳକୁ ଟାଣିଆଣିଥିଲା । ବନ୍ଦୀଶାଳାରେ ପରମ ପ୍ରେମରେ ସେ ଭ୍ରମରାକୁ କେତେ କ’ଣ ଆଲିଙ୍ଗନ କରିଥିଲା !

 

ତାର ଆଶା ଅପୂର୍ଣ୍ଣ ରହିଲା । ଅପରାଧିନୀର ପ୍ରାଣ ଯେ ଅନୁତାପ ଲୋଡ଼ୁଥିଲା, ସେହିଥିରେ ସେ ମୁକ୍ତି ପାଇଲା ନାହିଁ, ଭ୍ରମରା ବୁଝିଲା ନାହିଁ । ଯେତେବେଳେ ଚିଲିକାକୂଳରେ ସେହି ଛୋଟ ଗାଁଟି ଭିତରେ ଶାରୀର ଗତ ରାତ୍ରର ଇତିହାସ ରାଷ୍ଟ୍ର ହୋଇଗଲା, ଦଳ ଦଳହୋଇ ଲୋକ କୁଡ଼ିଆ ପାଖକୁ ଧାଇଁଆସିଲେ । ଶାରୀ ଯୌବନର କିଏ କେତେ କଥା କହିଲା । ବହୁ ଯୁକ୍ତିତର୍କ ପରେ ଅପରାଧିନୀ ପତିତା ଶରୀରଟା ଯେତେବେଳେ କୋକେଇ ଉପରକୁ ଅଣାଗଲା; କିଏ ଆଣି ବୁଢା ଭ୍ରମରା ହାତରେ ଗୋଟିଏ ବୁଜୁଳା ଦେଲା । କହିଲା - ‘‘ଶାରୀ ମୁଣ୍ଡତଳେ ଥିଲା ।’’

 

ସେହି ବୁଜୁଳା ଫିଟେଇ ଭ୍ରମରା ଦେଖିଲା- ଖଣ୍ଡିଏ ପଇସିକିଆ ପାନିଆ, ଗୋଟିଏ ପଇସିକିଆ ଦର୍ପଣ, ଦି’ ଖଣ୍ଡ ହଳଦୀ,ଟିପେ ସିନ୍ଦୂର ଟିଣ ପେଡ଼ାଟିରେ ରଖା ଯାଇଛି । କନା କାନିରେ ଦଶଅଣା ପଇସା ବନ୍ଧାହୋଇଛି । ଅପରାଧିନୀ ଶାରୀର ସେହି ହେଉଛି ଶେଷ ସମ୍ପତ୍ତି - ସେହି ହେଉଛି ତାର ଶେଷ ଅଭିଳାଷ ! ତାକୁ ହାତରେ ଧରି ଦେଖିଲା ମାତ୍ରେ ଭ୍ରମରାର ସୁଦୂର ଅତୀତ-ଗର୍ଭର କଥା ମନେ ପଡ଼ିଗଲା - ଶାରୀ ଦିନେ ମୁଣ୍ଡ କୁଣ୍ଡାଉଥିଲା, ସିନ୍ଦୂର ଲଗାଉଥିଲା, ଦର୍ପଣରେ ମୁହଁ ଦେଖୁଥିଲା - ସେ ଦିନେ ତାର ତରୁଣୀ ଥିଲା - ପ୍ରଣୟିନୀ ଥିଲା - ତାପରେ ଯାହା ସିନା ଗଣ୍ଡଗୋଳ ହୋଇଛି !!

 

ଶବ ଶ୍ମଶାନକୁ ଗଲା । ତା’ପରେ ସେ ଇତିହାସର ଯବନିକା ପତନ ।

***